ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ବଲିଉଡ ଅଭିନେତା ଶାହରୁଖ ଖାନ୍, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଏ.ଆର ରହମାନ୍ ମୁଖ୍ୟ ଆକର୍ଷଣ ସାଜିଥିଲେ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାକଜମକରେ ପୁରୁଷ ହକି ବିଶ୍ୱକପ୍ ୨୦୧୮କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟିତ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ମଞ୍ଚରେ ଶାହରୁଖଙ୍କୁ ଦେଖି ତାଙ୍କର ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ବେଶ୍ କିଛି ସମୟ ପାଇଁ ଉପସ୍ଥିତ ଦର୍ଶକଙ୍କ ପାଇଁ ଉଦ୍‌ଘାଟନୀ ଭାଷଣ ରଖିଥିଲେ ଶାହରୁଖ୍। ପରେ ମଞ୍ଚକୁ ଆସିଥିଲେ ମାଧୁରୀ ଦୀକ୍ଷିତ।

ମାଧୁରୀଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆତ୍କୃଷ୍ଟ କରିଥିଲା। ମାଧୁରୀଙ୍କ ସହ ଦେଶ ବିଦେଶର ଅନେକ କଳାକାର ନୃତ୍ୟରେ ସାମିଲ ହୋଇଥିଲେ। ରଙ୍ଗୀନ୍ ଆଲୋକରେ ଝଲସୁଥିବା କଳିଙ୍ଗ ଷ୍ଟାଡିୟମର ଶୀତୁଆ ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତ ଧୂନ୍‌ରେ ନୃତ୍ୟ ପରିବେଷଣ ସହ ମାଧୁରୀ ସମସ୍ତଙ୍କ ମନମୋହିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟତମ ଆକର୍ଷଣ ଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌. ରହମାନ୍‌ ତାଙ୍କ ଟିମ୍‌ର ସଙ୍ଗୀତ ପରିବେଷଣ ପୂରା ପରିବେଶକୁ ବେଶ୍‌ ଆତ୍କୃଷ୍ଟ କରିଥିଲା। ପ୍ରଥମେ ଟ୍ରୁପ୍ କଳାକାରଙ୍କ ସଙ୍ଗୀତ ପରେ ରହମାନ୍‌ ଗାଇଥିଲେ ବନ୍ଦେ ମାତରମ୍ ଓ ପରେ ପରେ ଜୟ ହୋ ଗୀତ। ଏହାସହ ହକି ଆନ୍ଥେମ୍‌ ମଧ୍ୟ ପରିବେଷଣ କରିଥିଲେ ରହମାନ୍‌।

କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅବସରରେ ୧୯୭୫ରେ ବିଶ୍ୱକପ୍‌ ବିଜୟୀ ଭାରତୀୟ ଟିମ୍‌ର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

You might also like