ଚର୍ଚ୍ଚାରେ ସ୍ମାର୍ଟସିଟିର ସ୍ମାର୍ଟ ଲୁଟେରା
ଭୁବନେଶ୍ୱର: ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ଇନଫୋସିଟି ପ୍ରଶାନ୍ତି ବିହାର ସବୁଠି ହେଲ୍ମେଟ୍ ଭିତରେ ମୁହଁ ଲୁଚେଇ ଘରେ କଳାକନା ବୁଲାଇଥିଲା ସଞ୍ଜୟ ନିଶ। ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ କୈଳାସ ବିହାରସ୍ଥିତ ଏକ ଆପାର୍ଟମେଣ୍ଟରେ ହେଲ୍ମେଟ୍ ପିନ୍ଧି ପୁରା ହିରୋମାର୍କା ଷ୍ଟାଇଲ୍ରେ ପସିଥିଲା ସଂଜୟ। ଆଉ କିଛି ସମୟ ପରେ ବ୍ୟାଗ୍ରେ ଚୋରି ସାମଗ୍ରୀ ଭର୍ତ୍ତି କରି ଛୁ ମାରିଥିଲା।
ଠିକ୍ ସେହିପରି ମଞ୍ଚେଶ୍ୱର ସତ୍ୟବିହାରରେ ଚୋରି କରି ଫେରିବା ବାଟରେ ଘରମାଲିକଙ୍କ ହାବୁଡ଼ରେ ପଡ଼ିଥିଲା ସଂଜୟ। କିନ୍ତୁ ଆଦୌ ହଡ଼ବଡ଼େଇ ନଯାଇ କିଛି ନଜାଣିଲା ଭଳି ଚୋରି ଜିନିଷ ସହିତ ଖସି ଯାଇଥିଲା ସେଠାରୁ। ଅନ୍ୟଏକ ଘଟଣାରେ ବି ଇନ୍ଫୋସିଟି ପ୍ରଶାନ୍ତି ବିହାରରେ ସେଇ ସମାନ ଷ୍ଟାଇଲ୍ରେ ଚୋରି ହୋଇଥିଲା। ଦେଢ଼ବର୍ଷ ଭିତରେ ସଞ୍ଜୟ ଲୁଟିଥିଲା ୬୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି। ଗତକାଲି ସେ ଧରାପଡିବାପରେ ଏବେ ନିଜ ଚୋରି ସାମଗ୍ରୀ ଫେରିପାଇବା ପାଇଁ ଲୋକେ ହେଉଛନ୍ତି ଥାନା ମୁହାଁ।
ଆଉ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି ସଞ୍ଜୟ? ଆପଣାଉଥିଲା କି ଚୋରିର ଆଉ କୌଣସି ଟେକ୍ନିକ୍? ଏସବୁ ତଥ୍ୟ କାଢ଼ିବାକୁ ସଂଜୟ ନିଶଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କମିଶନରେଟ୍ ପୁଲିସ। ତେବେ ଖୋଳତାଡ଼ରୁ ଜଣାପଡିଛି, ସଂଜୟ ଇଣ୍ଟରନେଟ୍ରୁ ଏହି ଚୋରି ବିଦ୍ୟା ଶିଖିଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ସମୟରେ ବାହାରୁଥିଲା ଚୋରି ଅଭିଯାନରେ।
ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟଙ୍କ ପାଇଁ ବୁମେରାଂ ହେଲା ସର୍ଟକଟ୍ ଉପାୟରେ ମାଲାମାଲ ହେବାର ନିଶା।