ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ଫୋର୍ସ ସହ ୮୦ରୁ ଅଧିକ ଅଫିସର ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ବୋଲି ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଆସନ୍ତା ୨୫ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଥିବାରୁ, ଭୁବନେଶ୍ୱର ଏୟାରପୋର୍ଟ, ରାଜଭବନ, ଏମ୍ସର ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କମିଶନର ଏବଂ ତାଙ୍କ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଜାଞ୍ଚ କରିଛନ୍ତି।
ଉପରାଷ୍ଟ୍ରପତି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ରାଜଭବନ ଯିବେ। ସେଠାରେ କିଛି ସମୟ କଟାଇବା ପରେ ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ତା’ପରେ ସେଠାରୁ ସିଧା ଏୟାରପୋର୍ଟ ଦେଇ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷାକୁ କଡାକଡି କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।