ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଶାଳଗାଁ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା।

ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୂରା ଘଟଣାର ତଦନ୍ତ ହେବ ବୋଲି ଇଷ୍ଟକୋଷ୍ଟ ରେଲ୍‌ୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଟ୍ରେନ୍‌ଟି କେଉଁ କାରଣରୁ ଦୁର୍ଘଟଣାଗସ୍ତ ହୋଇଛି ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଟ୍ରେନ୍ ଚାଲିବା ବେଳେ ଘନ କୁହୁଡ଼ି ଥିଲା। ସିଗନାଲ୍ ସମସ୍ୟା ଥିଲା କି ନାହିଁ ତାକୁ ନଜରରେ ରଖି ଘଟଣାର ତଦନ୍ତ କରାଯିବ।’ ଏହାସହ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ସେପଟେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଭବିଷ୍ୟତରେ ଏଭଳି ଦୁର୍ଘଟଣା ନ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୈଜୟନ୍ତ ପଣ୍ଡା। ଏହାସହ ଆହତଙ୍କ ଉଦ୍ଧାରରେ ସାହାଯ୍ୟ କରିଥିବା ସ୍ଥାନୀୟ ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

You might also like