ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। ଏକାଥରେ ଏକାଧିକ ନମୁନା ପରୀକ୍ଷା କରାଯିବ। କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ଆଗାମୀ ଦିନରେ ବ୍ୟାପକ ଧରଣର ଗୋଷ୍ଠୀଗତ ଭାବେ ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଏବେ ବୁର୍ଲା ମେଡିକାଲରେ ଗୋଟିଏ ଟେଷ୍ଟ କିଟ୍ ରହିଛି। ଆଗାମୀ ଦିନରେ ଏହାର କ୍ଷମତାକୁ ବଢ଼ାଇବାକୁ କୁହାଯାଇଛି। ସେହିପରି ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।
ସେହିଭଳି ରାଜ୍ୟରେ NDRF ଢାଞ୍ଚାରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପାଇଁ ପ୍ରସ୍ତାବ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ବିଭିନ୍ନ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ଏହି ଅବସରରେ ପ୍ରସ୍ତାବ ରଖାଯାଇଛି । ସେହିଭଳି ବୈଠକରେ ଟ୍ରେନିଂ ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ସୂଚନାଥାଉ କି, କରୋନାର ମୁକାବିଲା ପାଇଁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେସିଂ ଜରିଆରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକ ହୋଇଥିଲା।