ରାଜନୀତିର ରୋଚକ ଦୃଶ୍ୟ, ବିଜେପି ବିଧାୟକଙ୍କ ସହ ଆଲୋଚନା ପାଇଁ ନବୀନ ନିବାସରୁ ରାସ୍ତାକୁ ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ

ସର୍ବଦଳୀୟ ବୈଠକରେ ଫିଟିଲା ସମାଧାନର ବାଟ

  • ମଣ୍ଡି ସମସ୍ୟାକୁ ନେଇ ହଙ୍ଗାମା ଭିତରେ ରାଜନୀତିରେ ରୋଚକ ଚିତ୍ର
  • ବିଜେପିର ମୁଖ୍ୟମନ୍ତ୍ରୀ ଖୋଜା ଶୋଭାଯାତ୍ରାକୁ ବିଜେଡିର କାଉଣ୍ଟର
  • ଧାରଣାରତ ବିଜେପି ବିଧାୟକଙ୍କୁ ଡାକି ନବୀନଙ୍କ ଆଲୋଚନା
  • ସର୍ବଦଳୀୟ ବୈଠକରେ ଫିଟିଲା ସମାଧାନର ବାଟ

ଭୁବନେଶ୍ୱର: ବିଧାନସଭାରୁ ନବୀନ ନିବାସ। ଆଜି ରାଜଧାନୀରେ ରାଜ୍ୟ ଦେଖିଲା ରାଜନୀତିର ହାଇଡ୍ରାମା। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ୬ ଦିନ କାଳ ଅଚଳାବସ୍ଥା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଗୃହ ବାହାରକୁ ଆସିଥିଲା ବିରୋଧୀ ବିଜେପି। ବିଜେଡି ବିଧାୟକ ବି ଛାଡ଼ି ନଥିଲେ, ବାଟ କଢ଼େଇ ନେବାକୁ କହି ବିଜେପି ସାଙ୍ଗରେ ପଦଯାତ୍ରା କରିବା ବେଳେ ମୁହାଁମୁହିଁ ହୋଇଥିଲେ। ଦୁଇଦଳ ପରେ ନବୀନ ନିବାସ ଆଗରେ ଏକାଠି ହୋଇଥିଲେ। ବିଜେପି ସଦସ୍ୟଙ୍କ ଧାରଣାଠୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ୍ ଘଟଣାକୁ ନେଇ ବେଶ ଚର୍ଚ୍ଚା ଧରିଥିଲା। ବିଧାନସଭା ବାହାରେ ପାଖାପାଖି ଦୁଇ ଘଣ୍ଟାର ଚାଲିଥିଲା ରାଜନୈତିକ ନାଟକ।

ରାଜଧାନୀରେ ରାଜନୀତିର ସବୁଠୁ ରୋଚକ ଚିତ୍ର ଆଜି ଦେଖିବାକୁ ମିଳିଥିଲା। ପାଖାପାଖି ଦୁଇ ଘଣ୍ଟାର ମୁଖ୍ୟମନ୍ତ୍ରୀ ଖୋଜା ନାଟକକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି। ମଣ୍ଡି ଅବ୍ୟବସ୍ଥାକୁ ନେଇ ୬ ଦିନ କାଳ ଗୃହ ଅଚଳ ପରେ ଆଜି  ଆରମ୍ଭ ହୋଇଥିଲା ହାଇଡ୍ରାମା। ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନଥିବାର ଅଭିଯୋଗ ସହ ତାଙ୍କୁ ଖୋଜିବାକୁ ବିଧାନସଭାରୁ ଶୋଭାଯାତ୍ରାରେ ବାହାରିଲେ ବିଜେପି ବିଧାୟକ। ହାତରେ ପ୍ଲାକାର୍ଡ, ପୋଷ୍ଟର ଓ ବ୍ୟାନର ସହ ପୂରା ପଲଟଣ ବାହାରିଥିଲେ ନବୀନଙ୍କୁ ଖୋଜିବାକୁ।

ସେପଟେ ବିରୋଧୀ ଦଳ ନେତା କହିଥିଲେ ଆମେ ନବୀନ ବାବୁଙ୍କୁ ଭେଟିବାକୁ ଯାଉଛି। ନବୀନ ବାବୁ ଯେଉଁଠି ଥିବେ ସେଠାରେ ତାଙ୍କୁ ଭେଟିବୁ। ସେପଟେ ଲୋକସେବା ଭବନ ଆଗରେ କଥା କଟାକଟି ବେଳେ ରାଗିଯାଇଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। କହିଥିଲେ, ସେମାନେ ଆମକୁ ଅଟକାଇବାକୁ କିଏ? ତାଙ୍କର ନିଜର ତ ପାର୍ଟିରେ ଚାରଣା ପଇସାରେ ଭେଲ୍ୟୁ ନାହିଁ। ସେମାନେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି, ସେମାନଙ୍କର ଔକାତ ନାହିଁ, ସେମାନେ ଆମକୁ କଣ ରାସ୍ତା ଦେଖାଇବେ ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ। ଆଉ ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟା ରଖିଥିଲେ ବିଜେଡି ନେତା ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ। କହିଥିଲେ, ସେମାନେ ଆମ ନେତାଙ୍କ ପାଖକୁ ଯାଉଛନ୍ତି….ଆମେ ତାଙ୍କୁ ନେଇକି ଯିବୁ। ଆମର କର୍ତ୍ତବ୍ୟ ତାଙ୍କୁ ନେଇକି ଯିବୁ । ଏହାସହ  ମୁଖ୍ୟମନ୍ତ୍ରୀ ଲୋକ ସେବା ଭବନରେ ନାହାନ୍ତି ବୋଲି ଆମେ ତାଙ୍କୁ ସୂଚନା ଦେଲୁ ବୋଲି ପ୍ରଣବ କହିଛନ୍ତି।

ସେତେବେଳକୁ କାଉଣ୍ଟର ଷ୍ଟ୍ରାଟେଜି ବି କରି ଦେଇଥିଲା ବିଜେଡି। ବିଜେପି ବିଧାୟକଙ୍କୁ ନବୀନ ନିବାସ ଯାଏ ବାଟ କଢ଼େଇ ନେଉଛୁ କହି ପଦଯାତ୍ରା ଆରମ୍ଭ କରିଦେଲେ ବିଜେଡିର ୟଙ୍ଗ ବ୍ରିଗେଡ୍। ଦୁଇ ପଲଟଣ ଚାଲିଲେ, ଗୋଟିଏ ଖୋଜିବାକୁ, ଆରଟି ବାଟ ଦେଖେଇବାକୁ। ହେଲେ ବିଜେପି ବ୍ରିଗେଡ୍ ନବୀନଙ୍କୁ ଆଗ ଲୋକସେବା ଭବନରେ ଖୋଜି ନପାଇ ବାହାରିଲା ବେଳେ ମୁହାଁମୁହିଁ ହୋଇଗଲେ ଦୁଇ ଦଳ। କଥା କଟାକଟି, ଉଚ୍ଚବାଚ ବି ହୋଇଥିଲା। ଏହାପରେ ନବୀନ ନିବାସ ମୁହାଁ ହେଲା ବିଜେପିର ପଦଯାତ୍ରା। ସଙ୍ଗେ ସଙ୍ଗେ ବିଜେଡି ର ବି ଚାଲିଲା ପଦଯାତ୍ରା। ହେଲେ ୟା ଭିତରେ ନବୀନ ନିବାସ ସମ୍ମୁଖ ବି ଚଳଚଞ୍ଚଳ ହୋଇ ସାରିଥିଲା।

ବିଜେପି ବିଧାୟକଙ୍କୁ ଶଙ୍ଖୋଳି ନେବାକୁ, ଶଙ୍ଖ ଫୁଙ୍କି, ବନ୍ଦାପନା ଥାଳି ସହ ପ୍ରସ୍ତୁତ ହେଉଥିଲା ବିଜେଡିର ଛାମୁଆ ସଂଗଠନ। ଏଥିସହ ଗ୍ରାଉଣ୍ଡ ମ୍ୟାନେଜ୍ କରିବାକୁ ବି ତୟାର ଥିଲେ ତିନି ବରିଷ୍ଠ ନେତା। ବିଧାୟକ ଦେବୀ ମିଶ୍ର, ମନ୍ତ୍ରୀ ବିକ୍ରମ ଆରୁଖ ଓ ପ୍ରତାପ ଜେନା ନବୀନ ନିବାସ ସମ୍ମୁଖରେ ଏକାଠି ହୋଇଥିଲେ। ହେଲେ ଏତିକି ବେଳେ ପ୍ରତାପଙ୍କ ପାପ ବୟାନ ବୁମେରାଂ ହେଲା।

ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ଏକ ପବିତ୍ର ସ୍ଥାନ। ଆଜି ନବୀନ ନିବାସରେ ଆସି ବିରୋଧୀମାନେ ପହଞ୍ଚିବା ପରେ ସେମାନଙ୍କ ପାପ ଧୋଇଯିବ ବୋଲି କହିଥିଲେ ପ୍ରତାପ। ସେପଟେ, ପ୍ରତାପଙ୍କୁ କାଉଂଟର ଆଟାକ୍‌ କରିଥିଲେ ବିଜେପି ନେତା ମୋହନ ମାଝୀ। ସେ କହିଥିଲେ ଯେ, ପାପ ଆମେ ନୁହେଁ ବରଂ ପ୍ରତାପ ଜେନା କରିଛନ୍ତି। ୪ଟି  ଲୋକଙ୍କୁ ହତ୍ୟା କରି ସେ ପାପ କରିଛନ୍ତି। କେବଳ ସେ ନୁହେଁ ବରଂ ଅରୁଣ ସାହୁ ବି ପାପ କରିଛନ୍ତି ବୋଲି ଶ୍ରୀମାଝି କହିଛନ୍ତି।

ଆଉ ଏହାର କିଛି ସମୟ ପରେ ବିଜେପି ପଦଯାତ୍ରା ନବୀନ ନିବାସ ପହଞ୍ଚିବା ବେଳକୁ ହଠାତ୍ ବଦଳିଯାଇଥିଲା ଚିତ୍ର। ଶଙ୍ଖୋଳିବା ପାଇଁ ଥିବା ବନ୍ଦାପନା ବ୍ରିଗେଡ୍ ଉଭାନ୍ ହୋଇଯାଇଥିଲେ, ଫାଟକ ବି ପଡ଼ିଯାଇଥିଲା। ଯାହାକୁ ଦେଖି ଉତ୍‌କ୍ଷୀପ୍ତ ବିଜେପି ବିଧାୟକମାନେ ପ୍ରତିବାଦରେ ସେଇଠି ଧାରଣାରେ ବସିପଡ଼ିଲେ।

ବିଜେଡିର ଫେଜ୍ ଓ୍ୱାରି ମନ୍ତ୍ରୀ, ବିଧାୟକଙ୍କ ବୁଝାସୁଝା କାମ ଦେଲାନି। ଶେଷରେ ମୁଖ୍ୟମନ୍ତ୍ରୀ ନିଜେ ବାହାରକୁ ଆସିଲେ। ବିଜେପି ବିଧାୟକଙ୍କୁ ଧାରଣାରୁ ଉଠାଇ ଆଲୋଚନା ପାଇଁ ଭିତରକୁ ନେଇଗଲେ। ପ୍ରାୟ ଅଧଘଣ୍ଟା ପରେ ନବୀନ ନିବାସରୁ ବାହାରି ଖୁବଶୀଘ୍ର ସର୍ବଦଳୟୀୟ ବୈଠକ ଡକାଇବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଏଥିସହ ବିଧାନସଭାରୁ ନବୀନ ନିବାସ ଯାଏ ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ବିଜେପି-ବିଜେଡି ବିଧାୟକ ନାଟକର ଜବନିକା ପଡ଼ିଥିଲା। ତେବେ ନବୀନ ନିବାସରୁ ନବୀନ ବାହାରିବା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

You might also like