ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ରାଜ୍ୟର ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  ଏ ନେଇ ଗଠିତ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ଫି ହ୍ରାସ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କମିଟିର ରିପୋର୍ଟ ଗ୍ରହଣ କରିବା ନେଇ ଯଦି କାହାର ଆପତ୍ତି ଥିବ, ତା ହେଲେ ସାନି ରିଟ୍ ଦାଖଲ ପାଇଁ କୋର୍ଟ କହିଛନ୍ତି ।ପୂର୍ବରୁ ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ଲାଗି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ କରିଥିଲା ।

ସୂଚନାଥାଉ କି, କମିଟିର ରିପୋର୍ଟରେ ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ  ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯାଇନଥିଲା । ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫିରେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏ ଫିରେ ୨୦ ପ୍ରତିଶତ ଛାଡ କରାଯିବାକୁ ସୁପାରିଶ କରିଥିଲା କମିଟି ।

ସେହିପରି ୭୨ରୁ ୧ ଲକ୍ଷ ଟଙ୍କା ଫିରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ ଛାଡ଼ କରିବାକୁ କମିଟି ରିପୋର୍ଟ ଦେଇଥିଲା । ସେହିପରି ରେସିଡେନ୍ସିଆଲ ସ୍କୁଲଗୁଡିକର ଫି ୩୦% ହ୍ରାସ ପାଇଁ କମିଟି ସୁପାରିଶ କରିଥିଲା।

ସୂଚନାଥାଉ କି, ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା। ଏହାର ଶୁଣାଣି କରି ଆପୋସ ସମାଧାନ ପାଇଁ କୋର୍ଟ ପରାମର୍ଶ ଦେଇଥିଲେ । ଏଥିସହ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ସୂଚନାଥାଉ କି, କୋଭିଡ କଟକଣାକୁ ରଖି ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ଥିଲା। ସରକାର ସ୍କୁଲ ସହ ଘରୋଇ ସ୍କୁଲମାନଙ୍କରେ ଅନଲାଇନ୍‌ରେ ପାଠପଢା ଚାଲିଥିବାବେଳେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଯାଉଛି। କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ବାଧ୍ୟତାମୂଳକ କରାଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କ୍ଲାସରୁମ୍, ଲାଇବ୍ରେରୀ ଆଦିକୁ ସାନିଟାଇଜ କରାଯାଉଛି।

You might also like