କରୋନା ରୋଗୀଙ୍କୁ ଏମାନେ ଦେଉଛନ୍ତି ରନ୍ଧା ଖାଦ୍ୟ

ସାହାଯ୍ୟ ମନୋବୃତ୍ତି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ମହାମାରୀ କରୋନା କୋପରେ ସବୁଠି ଭୟର ବାତାବରଣ। ଏଭଳି ପରିସ୍ଥିତିରେ ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ରୀତିମତ ଲଢ଼େଇ କରି ଆସୁଛନ୍ତି। ତେବେ ବ୍ରହ୍ମପୁରର ଏମିତି କିଛି ଗୃହିଣୀ ଅଛନ୍ତି, ଯେଉଁମାନେ ଏହି ଯୁଦ୍ଧରେ ନିଜକୁ ଉତ୍ସର୍ଗ କରି ଲାଗିପଡ଼ିଛନ୍ତି କରୋନା ରୋଗୀ ଓ ଅସହାୟଙ୍କ ସେବାରେ। ନିଜ ଘର କାମ ସାରି ହାତ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ୍ରେ ଥିବା ରୋଗୀ, ତାଙ୍କ ସମ୍ପର୍କୀୟ ଓ ଅସହାୟମାନ।

ଚୁଲିରେ ବସିଛି ଭାତ, ରନ୍ଧା ଚାଲିଛି ଡାଲି, ପନୀର ତରକାରୀ, ସୋୟା ଚିଲ୍ଲୀ, ମିଠା ସହ ଭଳିକି ଭଳି ଖାଦ୍ୟ। ପରିବା କାଟିବା ଠାରୁ ଆରମ୍ଭ କରି ରାନ୍ଧିବା ଯାଏ ସବୁକାମ କରୁଛନ୍ତି ମହିଳାମାନେ। ହାତରେ ଗ୍ଲୋଭସ, ମୁହଁରେ ମାସ୍କ, ମୁଣ୍ଡରେ ହେୟାର କଭର ସହ କୋଭିଡ ପ୍ରୋଟୋକଲ ମାନି ଏଠି ଚାଲିଛି ରୋଷେଇ। କରୋନା ସମୟରେ ଘରୁ ପଦାକୁ ବାହାରିବା କଷ୍ଟ ହେଉଥିବା ବେଳେ ଏହି ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି ମହାମାରୀ ବେଳେ ଅସହାୟଙ୍କୁ ସାହାଯ୍ୟ କରିବାକୁ।

ପାଖାପାଖି ୨ଶହ ଅସହାୟଙ୍କ ପାଇଁ ଏଠି ରନ୍ଧାବଢା କରୁଛନ୍ତି। ବ୍ରହ୍ମପୁରର କଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟର ମହିଳା ସ୍ୱେଚ୍ଛାସେବୀମାନେ। ରୋଷେଇ ସରିବା ପରେ ମହିଳା ଓ ପୁରୁଷ ମିଶି ପ୍ୟାକିଂ କରନ୍ତି। ଏହାପରେ ସେମାନଙ୍କ ପାଖକୁ ଆସିଥିବା କଲ୍ ମୁତାବକ ଖାଦ୍ୟ ପୁଡିଆ ନେଇ ପହଂଚାନ୍ତି ଆଇସୋଲେସନରେ ଥିବା କରୋନା ରୋଗୀ ତଥା ବୟସ୍କଙ୍କ ପାଖରେ।

ସେହିଭଳି ଏଠି ରନ୍ଧାରନ୍ଧିରେ ଲାଗିପଡ଼ିଛନ୍ତି ଆଉ ଏକ ମହିଳା ଗୋଷ୍ଠୀ। ଛୋଟ ଛୋଟ ହାଣ୍ଡିରେ ଭାତ, ଡାଲି, ତରକାରୀ, ସନ୍ତୁଳା ସହ ଆଚାର। ଦିନକୁ ଦୁଇ ଓଳି କରାଯାଉଛି ରନ୍ଧାରନ୍ଧି। ୫ରୁ ୭ ଜଣ ମହିଳା ଲାଗିପଡ଼ିଛନ୍ତି ଏହି କାମରେ। ରୋଷେଇ ସରିଲା ପରେ ପ୍ୟାକିଂ କରି ବ୍ରହ୍ମପୁରର ବିଭିନ୍ନ ଅଂଚଳକୁ ବାଣ୍ଟିବା ପାଇଁ ବାହାରି ପଡନ୍ତି ସଦସ୍ୟମାନେ। ପ୍ରଥମେ ୨୦ଜଣଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଦିନକୁ ୪ଶହ ପ୍ୟାକେଟ ବଣ୍ଟନ କରାଯାଉଥିବା କାହ୍ନା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା କହିଛନ୍ତି।

ତେବେ ରାଜ୍ୟରେ ସଂକ୍ରମଣର ସଂଖ୍ୟା ବଢିଛି। ଆଜି ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୮,୭୩୫ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟିନ୍‌ରେ ୪,୮୯୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୩,୮୪୩ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ  । ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

You might also like