ବିବାହ ପ୍ରୋସେସନକୁ ଅନୁମତି ଦେଲେ ସରକାର; ମାନିବାକୁ ହେବ ଏହି ସର୍ତ୍ତ

ଭୁବନେଶ୍ୱର: ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍ କରାଯାଇ ପାରିବ। ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ତେବେ ଏଥିପାଇଁ କିଛି ସର୍ତ୍ତମଧ୍ୟ ରଖାଯାଇଛି। ପ୍ରୋସେସନ୍‌କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏନେଇ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି।

ଏହି ଗାଇଲଡ୍‌ଲାଇନରେ ପ୍ରୋସେସନକୁ ଅନୁମତି ଦେବା ସହି ବିବାହ ଉତ୍ସବରେ ସର୍ବାଧିକ ୨ଶହ ଜଣ ଲୋକଙ୍କୁ ଅନୁମତି ମିଳିଛି। ଅର୍ଥାତ୍ ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ବାବାଘର ଉତ୍ସବରେ ମୋଟ ୨ଶହ ଲୋକ ରହିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ବିବାହ ଉତ୍ସବକୁ ଆସିଥିବ ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

ତେବେ ଡିସେମ୍ବର ୩୧ ତାରିଖରେ ମଧ୍ୟ ନୂଆ ବର୍ଷ ପାଳନକୁ ଆଖି ଆଗରେ ରଖି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ ରାଜ୍ୟ ସରକାର। ଏଥିରେ ବିବାହ ଉତ୍ସବ ସମ୍ପର୍କରେ ମଧ୍ୟ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। ଏହି ଗାଇଡ୍‌ଲାଇନ୍‌ରେ ମଧ୍ୟ ବିବାହ ଉତ୍ସବ ପାଇଁ ୨୦୦ ଲୋକଙ୍କୁ ଅନୁମତି ମିଳିଥିଲା। ଓ ଅନ୍ତେଷ୍ଟିକ୍ରିୟା ପାଇଁ ୧୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଥିଲା।

ଅନ୍ୟପଟେ ଏସବୁ ଭିତରେ ରାଜ୍ୟ ପାଇଁ ଆସିଛି ଖୁସୀର ଖବର। ଓଡ଼ିଶାରେ ଆସି ପହଞ୍ଚିଛି କରୋନା ଟିକା କୋଭିଶିଲ୍ଡ। ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଏହି ଟିକା ଆସିଥିବା ସୂଚନା ମିଳିଛି। ଟିକା ନେଇ ଆସିଥିବା ବିମାନ ଏୟାରପୋର୍ଟରେ ପହଞ୍ଚିବା ପରେ ତୁରନ୍ତ ସେଥିରୁ ଟିକା କାଢ଼ି ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି।

ଏନେଇ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ୱରରେ ଟିକା ପହଞ୍ଚିବା ପରେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯିବାକୁ ଯୋଜନା କରାଯାଇଥିଲା। ଯୋଜନା ମୁତାବକ ରାଜ୍ୟ ଭ୍ୟାକ୍ସିନ୍‌ ସେଣ୍ଟରରେ ଏହି ଟିକା ସବୁ ରହିଛି। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ ଭ୍ୟାକସିନ ଗାଡ଼ି ପଠାଇ ସେମାନଙ୍କ ଟିକା ନେଇଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସେହିପରି  ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଓ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବାକୁ ନିଷ୍ପତି ହୋଇଛି  ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ଲୋକେସନରେ କୋଭିଡ୍ ଭ୍ୟାକସିନ୍ ଲଂଚ୍ କରାଯାଉଛି। କ୍ୟାପିଟାଲ ହସପିଟାଲ, ୟୁନିଟ୍ ୪ ସରକାରୀ ହସପିଟାଲ, ବିଏମସି ହସପିଟାଲ, ସମ୍ ହସପିଟାଲ ଏବଂ କିମ୍ସ ହସପିଟାଲରେ ଲଂଚ୍ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ :

କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା, ବିଗତ ୫ ବର୍ଷରେ ଦ୍ୱିଗୁଣିତ ହେଲା ସଂଖ୍ୟା

You might also like