ଅଳ୍ପ ଶବ୍ଦ ମଧ୍ୟରେ ପଢନ୍ତୁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ରାଜ୍ୟର କିଛି ପ୍ରମୁଖ ଖବର

ସମ୍ବଲପୁର: ସମ୍ବଲପୁର ପରମାଣପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଧକ୍କା ଦେଇଛି ଟ୍ରକ୍। ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ।

ହୋଲି ଗାଧୁଆ କାଳ ହୋଇଛି। ମହାନଦୀ ଘାଟରେ ଜଣେ ନାବାଳକ ବୁଡ଼ି  ଯିବାରୁ ତାଙ୍କର ମୃତ ହୋଇଛି। ସୁବର୍ଣ୍ଣପୁର ମହାନଦୀ ଘାଟରେ ବୁଡ଼ି ୧୬ ବର୍ଷ ନାବାଳକ ପ୍ରାଣ ହରାଇଛନ୍ତି। ନାବାଳକ ଜଣକ ହୋଲି ଖେଳି ସାରି ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ସୂଚନା ମିଳିଛି।

କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ଭୁବନେଶ୍ୱରରୁ ନାବାଳିକା ଜଣକ ନିଜ ପରିବାର ସହ ଦୋଳ ପାଳନ ପାଇଁ ଗାଁକୁ ଯାଇଥିବା ବେଳେ ସଂପର୍କୀୟ ମାମୁ ମିଠା ଖାଇବାକୁ ଦେବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିବା ପରେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ସୂର୍ଯ୍ୟମଣୀ ମାଝିଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

କଟକ ସଦର ଥାନା ବମ୍ବିଲୋ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ସ୍ୱାମୀ ହିଁ ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ୪ ଡକାୟତ ଗିରଫ ବି ହୋଇଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ହରିପୁର ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବେଳେ ୪ ଲୁଟେରା ଧରାପଡ଼ିଛନ୍ତି। ଘଟଣାସ୍ଥଳରୁ ଅନ୍ୟ ୪ ଲୁଟେରା ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଟି ଚୋରା ମୋଟର ସାଇକେଲ, ୫ଟି ଅଫୁଟା ବୋମା ଏବଂ ହାତ ହତିଆର ଜବତ କରାଯାଇଛି। ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ।

ଢେଙ୍କାନାଳ ଜିଲ୍ଲା ସଦର ଥାନା କାଲୁରିଆ ବ୍ରାହ୍ମଣୀ ନଦୀଘାଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କାଲୁରିଆ ଗାଁର ନରୋତ୍ତମ ବେହେରା ଓ ରାଜୀବ ବେହେରା। ଗୁରୁତର ଜଣଙ୍କର ନାଁ ଶ୍ରୀକାନ୍ତ ସାହୁ ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ବାଲି ଚାଲାଣ କରୁଥିବା ବେଳେ ଏହି ଟ୍ରାକ୍ଟରଟି ୩ଜଣଙ୍କ ଉପରେ ଓଲଟି ପଡିଥିଲା। ଫଳରେ ଗ୍ରାମବାସୀ ଚିକିତ୍ସା ପାଇଁ ୩ ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର।

You might also like