ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଚେତିଲେ ସରକାର। ପର୍ଚେଜ୍ କମିଟି ମୁଖ୍ୟ ପଦରୁ IAS ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଅର୍ଡର ଦେଇ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନ କରିବାରୁ ବିବାଦ ଦେଖାଦେଇଥିଲା। ମାସ୍କ, ପିପିଇ, ଭେଣ୍ଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିଲା।
ଏକା ପ୍ରକାର ଜିନିଷକୁ ବିଭିନ୍ନ ଦରରେ ବିଭିନ୍ନ ଫାର୍ମରୁ କିଣାଯାଇଥିଲା। ଏମିତିକି ବଜାର ଦର ଠାରୁ ଢେର ଅଧିକ ମୂଲ୍ୟରେ ସାମଗ୍ରୀ କିଣାଯାଇଥିବା ଅଭିଯୋଗ ଥିଲା।
ଏ ସଂପର୍କରେ OTVରେ ଅନୁସନ୍ଧାନମୂଳକ ଖବର ପ୍ରସାରଣ ପରେ ଅକଳରେ ପଡ଼ିଥିଲେ ସରକାର। ୨ ଟ୍ରକ୍ ମାସ୍କ, ୨ ଟ୍ରକ୍ ସାନିଟାଇଜର, ୧ ଟ୍ରକ୍ ଭେଣ୍ଟିଲେଟର ଫେରାଇଥିଲେ ମଧ୍ୟ ଅର୍ଡର ବାତିଲ୍ ସତ୍ତ୍ୱେ ୨୯ ଟ୍ରକ୍ PPE କିଟ୍ ଗ୍ରହଣ କରିଥିଲେ।
ତେବେ ଏହି କେଳେଙ୍କାରୀ ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଅନ୍ୟପଟେ ବିଜେଡି କହିଛି ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବ ସରକାର ନିଶ୍ଚିତ ତଦନ୍ତ କରାଇବେ ଓ କାର୍ଯ୍ୟାନୁଷ୍ଠାନ ନେବେ।