ତଳେ ପଡ଼ି ଯାଇଥିବା ତରକାରୀ ଗୋଟାଇ ଖାଇଲେ ବୃଦ୍ଧା

ରାସ୍ତା କଡ଼ରେ ଭୋକର ବିକଳ ଚିତ୍ର : ଏଠି ଭାଇରାଲ ହୁଏ ଭୋକ

ମାଲକାନଗିରି : ଭାଇରାଲ ଭୋକର ଭୟାନକ୍ କାହାଣୀ । ଭୋକ ଏଠି ବେଶ୍ ଜଣାଣୁଣା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏନ୍ତୁଡ଼ି ଶାଳରୁ ଜୁଇ ଯାଏ ଗରିବ ମଣିଷକୁ ଘଡ଼ିକି ଘଡ଼ି ମାରୁଥାଏ ଭୋକ । ଏଇ ଭୋକ ପାଇଁ କିଏ ଚୋର ସାଜୁଥିବା ବେଳେ ଆଉ କାହାର ପରିବାର ଉଜୁଡ଼ି ଯାଏ । ଭୋକର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଅଞ୍ଚଳରେ । ଜଣେ ଅସହାୟ ବୃଦ୍ଧା କିପରି ତଳେ ପଡିଥିବା ତରକାରୀକୁ ଗୋଟାଇ ଖାଉଛନ୍ତି ତାହାର ଭିଡିଓ ଭାଇରାଲ ହୋଇଛି ।

ରାସ୍ତା କଡ଼ରେ ଅଦୃଶ୍ୟ ଦାନବ ପରି ଅସ୍ତବ୍ୟସ୍ତ କରୁଥିଲା ଭୋକ । ତଳୁ ତରକାରୀ ଗୋଟାଇ ଖାଉଥିବା ବୃଦ୍ଧାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖାଇବା ବିହୁନେ ଚାଲିବା ପାଇଁ ବଳ ପାଉ ନାହିଁ, ଗଣି ହୋଇଯାଉଛି ଦେହର ପଞ୍ଜରା ହାଡ଼ । ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିବା ଜଣାପଡ଼ିଛି ।  ଆଉ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ ରାସ୍ତା ଉପରେ ତାଙ୍କ ହାତରୁ ପଲିଥିନଟି ଖସି ପଡିଥିଲା । ତରକାରୀ ଜରିଟି ଖସିପଡିବା ଫଳରେ ସବୁ ତରକାରୀ ରାସ୍ତାରେ ବିଛେଇ ହୋଇଯାଇଥିଲା ।

ବହୁ କଷ୍ଟରେ ଗୋଟିଏ ଓଳିର ଖାଇବା ରାସ୍ତାରେ ପଡ଼ିଥିବା ଦେଖି ତଳେ ବସି ପଡ଼ିଥିଲେ ମହିଳା ।  ଆଉ ପ୍ୟାକେଟ ଖୋଲି ରାସ୍ତାରେ ବହିଯାଇଥିବା ତରକାରୀକୁ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି । ସେ ଠିକ ଭାବେ କଥା କହିପାରୁନଥିବା ବେଳେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁନଥିଲେ । ତାଙ୍କର ଘର କେଉଁଠି, ନିଜର କିଏ ଅଛି ନା ନାହିଁ, ସେସମ୍ପର୍କରେ ମଧ୍ୟ ଜଣାପଡ଼ିନାହିଁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସେହିପରି କିଛି ଦିନ ତଳେ ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳର ଏଭଳି ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା ଦେଖିବାକୁ ମିଳିଥିଲା । କିଛି ବ୍ୟକ୍ତି ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ । ଆଉ ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।

You might also like