ଚାହିଁଲେନି ଚାରି ପୁଅ, ଶୀତ ରାତିରେ ପଲିଥିନି ତଳେ ରାତି କାଟିଲେ ବୁଢାବାପା

ଜଳେଶ୍ଵର(ଅଜିତ କୁମାର ଦାସ): ଚାରି ପୁଅ ଥାଇ ବାପା ଆଜି ବେସାହାରା । ଏହି ହାଡ ଭଙ୍ଗା ଶୀତରେ ବି ପଲିଥିନ ତଳେ ଗୋଟିଏ ଗାଈକୁ ଧରି ଦିନ କଟାଉଛନ୍ତି ୭୦ ବର୍ଷୀୟ ବୃଦ୍ଧ। ଏମିତି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ସବୁଠାରୁ ଦୁଃଖର କଥା,  ଗାଈକୁ ବିକିଲେନି ବୋଲି  ୪ ପୁଅ ମିଶି ବୁଢା ବାପାକୁ ପର କରିଦେଲେ। ଭାବିଲେନି, ଯେଉଁ ବାପା ଦିନେ ତାଙ୍କୁ ହାତ ଧରି ଚାଲି ଶିଖେଇଛ, ନିଜେ ନ ଖାଇ ସେମାନଙ୍କ ମୁହଁରେ ଆହର ଦେଇଛି ସେଇ ବାପା ଏଇ ବୟସରେ  ହାଡ଼ଭଙ୍ଗା ଶୀତକୁ କେମିତି ସହିବ ?

ପୁଅମାନେ ପର କରିଦେବା ପରେ ଏବେ ବୁଢା ବାପା ପଲିଥିନ ତଳେ ରହୁଛନ୍ତି। ପାଖରେ ଅଛି ସେଇ ଗାଈ।  ଗାଈ ବି ତାଙ୍କ ପରି ବାର୍ଦ୍ଧକ୍ୟରେ।  ସେ ଏବେ ପିଲା ଜନ୍ମ କରିପାରୁନି କି କ୍ଷୀର ଦେଇ ପାରୁନି । ତେଣୁ ଗାଈକୁ ବିକିବାକୁ ରାଜି ହେଲେନି। ସେଥିପାଇଁ ପୁଅମାନେ ବି ତାଙ୍କ ହାତ ଛାଡ଼ି ଦେଲେ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ଇକଡପାଳ ଗାଁର ନବକୃଷ୍ଣ ପାତ୍ର। ଏଇ ହାଡଭଙ୍ଗା ଶୀତରେ ପଲିଥିନ ତଳେ ରହୁଛନ୍ତି।  ଘୋଡି ହୋଇଛନ୍ତି ପଲିଥିନ ଖଣ୍ଡେ। ପାଖରେ ମୁଣ୍ଡ ଗୁଞ୍ଜିବା ଲାଗି ନା ଚାଳ ଅଛି ନା ଖାଇବାକୁ ଗଣ୍ଡେ ଦାନା । ଅଛି କେବଳ ଦୁଇ ଆଖିରେ ଭର୍ତ୍ତି କୋହ ।

ଚାରି ଚାରିଟି ପୁତ୍ର ସନ୍ତାନର ଜନକ ସେ । ହେଲେ ବୟସର ଅପରାହ୍ନରେ ପାଖରେ କେହି ନାହାନ୍ତି । ଜନ୍ମ କଲା ସନ୍ତାନ ସିନା ପର କରିଦେଲେ ହେଲେ,  ଏ ନିରୀହ ପଶୁ ବୁଝି ପାରିଛି ମାଲିକର ଦୁଃଖ । ତେଣୁ ସେ ତାଙ୍କୁ ଛାଡି ଯାଉ ନାହିଁ ।
୪ ପୁଅ, ଜଣେ ଝିଅ ଓ ପତ୍ନୀଙ୍କୁ ନେଇ ନବକୃଷ୍ଣଙ୍କ ସଂସାର । ଝିଅର ବାହାଘର ହୋଇସାରିଛି । ପୁଅମାନଙ୍କର ମଧ୍ୟ ବିବାହ ସରିଛି। ପୁଅମାନେ ବିବାହ କରିବା ପରେ ନିଜ ନିଜ ପରିବାର ସହ ଅଲଗା ରହୁଛନ୍ତି ।  ପତ୍ନୀ ମଝିଆ ପୁଅ ମନ୍ମଥଙ୍କ ପାଖରେ ରହୁଛନ୍ତି । ଗାଁରେ ବିଚାର ହୋଇଥିଲା, ନବକୃଷ୍ଣ ବଡପୁଅ ଗଦାଧରଙ୍କ ପାଖରେ ରହିବେ । କିନ୍ତୁ ଗଦାଧର ନିଜ ସ୍ୱାର୍ଥ ପାଇଁ ବାପାଙ୍କୁ ପାଖରେ ରଖିବାକୁ ନାରାଜ ।
ଏବେ  ତାଙ୍କ କଥା କେହି ବୁଝୁନଥିବା ଦର୍ଶାଇ ନବକୃଷ୍ଣ ଚାରିଦିନ ତଳେ ବାଲିଆପାଳ ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।  ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ସମ୍ପତ୍ତି ଲୋଭରେ ପୁଅମାନେ ନିଜ ଜନ୍ମକଲା ବାପାଙ୍କୁ ପର କରି ଦେଉଛନ୍ତି ।

ବଡ଼ ପୁଅ ଗଦାଧର ସରକାରୀ ଜାଗାରେ ଘର କରି ଅଛନ୍ତି। ଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନାହିଁ ତେଣୁ ଗାଈ ବିକ୍ରି କଲେ ବାପାଙ୍କୁ ଘରେ ରଖିବେ ବୋଲି ସେ କହିଛନ୍ତି।  ନଚେତ୍‌ ବାପା ନିଜ ଘରେ ରହିଲେ ସେ ସାହାଯ୍ୟ କରିବେ ବୋଲି କହିଛନ୍ତି। ହେଲେ, ବାପାଙ୍କ ଜିଦ୍‌, ଗାଈକୁ ଛାଡ଼ିବିନି।

ଏ ସମ୍ପର୍କରେ ବାଲିଆପାଳ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି, ବାପାଙ୍କ ସମ୍ପତ୍ତିରୁ ପୁଅମାନେ ତାଙ୍କୁ ବାହାର କରି ପାରିବେ ନାହିଁ । ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ।

You might also like