ଆଜିଠୁ ନୂଆ ନିୟମ: ବାଇକ୍ ପଛରେ ବସିଲେ ବି ପିନ୍ଧିବେ ହେଲ୍‌ମେଟ୍

ଭୁବନେଶ୍ୱର: ପୂର୍ବ ନିଷ୍ପତ୍ତି ମୁତାବକ ନୂଆବର୍ଷ ଅର୍ଥାତ୍‌ ଆଜିଠାରୁ ବାଇକ୍ ପଛରେ ବସୁଥିବା ଲୋକ ବି ପିନ୍ଧିବେ ହେଲ୍‌ମେଟ୍। ଉଭୟ ଗାଡ଼ି ଚାଳକ ଓ ଗାଡ଼ି ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଲ୍‌ମେଟ୍ ଚେକିଂକୁ ଜୋରଦାର କରାଯାଇଛି।

ଅନ୍ୟପକ୍ଷେ, ହେଲ୍‌ମେଟ୍ ନ ପିନ୍ଧିଲେ ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଦୁଇ ଚକିଆ ଯାନରେ ଅଧିକ ଦୁର୍ଘଟଣା ଘଟୁଛି। ୨୦୨୧ରେ ଦୁର୍ଘଟଣା ଜନିତ ମୃତ୍ୟୁର ହାର କମ୍‌ କରିବା ପାଇଁ ଓ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ।

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।

କଟକ ସହରରେ ହେଲମେଟ୍ ଚେକିଂକୁ କଡ଼ାକଡ଼ି କରିବା ପାଇଁ ପ୍ରସ୍ତୁତି ହୋଇଛି କଟକ କମିଶନରେଟ୍ ପୋଲିସ। କଟକର ବିଭିନ୍ନ ପ୍ରମୁଖ ଛକରେ ନୂଆବର୍ଷରୁ ଏହି ଯାଞ୍ଚ କଡାକଡ଼ି ଭାବେ ଆରମ୍ଭ ହୋଇ ବର୍ଷ ତମାମ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି। ଅନ୍ୟପଟେ କଟକ ସହରର ବିଭିନ୍ନ ହେଲ୍‌ମେଟ୍ ଦୋକାନରେ ହେଲମେଟ୍ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

୨୦୧୯ରେ ହେଲ୍‌ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା। ଗତବର୍ଷ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ମଧ୍ୟରୁ ୪ ହଜାର ୬ଶହ ୮୮ଟି ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଥିଲା। ଏଥିରେ ୨ହଜାର ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। କେବଳ ହେଲ୍‌ମେଟ୍ ପିନ୍ଧି ନ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଯଦି ଗାଡ଼ି ଚଳାଉଥିବା ସମୟରେ ଏମାନେ ହେଲ୍‌ମେଟ୍‌ ପିନ୍ଧିଥାନ୍ତେ, ହୁଏତ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ଚିଠିରେ ଦର୍ଶାଇଛନ୍ତି ପରିବହନ ସଚିବ।

ଏମ୍‌ଭି ଆକ୍ଟ ୧୯୪-ଡି ଅନୁଯାୟୀ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଅମାନିଆଙ୍କ ଡିଏଲ୍(ଡ୍ରାଇଭିଂ ଲାଇସେନ୍ସ) ବାତିଲ କରାଯାଉ ବୋଲି ପରିବହନ ସଚିବ ଡିଜିପିଙ୍କୁ ଚିଠି ଲେଖିଥିଲେ।

You might also like