ଶୀତରେ ଥରୁଛି ସାରା ଓଡିଶା…
ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ
ଭୁବନେଶ୍ୱର: ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ। ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି। ରାତି ବଢ଼ିବା ସହ ପାରଦ କମୁଛି। ଏଥର ଶୀତ ବିଳମ୍ବରେ ଆସି ମଧ୍ୟ ଗତ କିଛି ଦିନ ଧରି ଜାଡ଼ ପରିସ୍ଥିତି ସୃଷ୍ଟି କରିଛି। ଶୀତର ପ୍ରଭାବ ଏତେ ଅଧିକା ଯେ, ଗତକାଲି ବି ରାଜ୍ୟରେ ୧୨ଟି ସହରର ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ଥିଲା।
ଶୀତରେ ଥରୁଛି ଅନୁଗୁଳ ଏବଂ କନ୍ଧମାଳ। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ ୫ ଏବଂ ଅନୁଗୁଳରେ ୫ ଦଶମିକ ୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭ ଦଶମିକ ୮, କେନ୍ଦୁଝରରେ ୮ ଦଶମିକ ୮ ଏବଂ ବାରିପଦାରେ ୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛି ପାଣିପାଗ ବିଭାଗ।
ପୂର୍ରାରୁ ରାଜ୍ୟରେ ଶୀତ ବଢିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହାସହ୨୪ ଘଂଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ମିଳିଥିବା ସୂଚନା ଅନୁସାରେ, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଯାଇଛି। ଏହାସହ ୧୧ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏହା ମଧ୍ୟରେ ରହିଛି କୋରାପୁଟ, କଳାହାଣ୍ଡି,ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, କଟକ, ଢ଼େଙ୍କାନାଳ, କେନ୍ଦୁଝର, ବାଲେଶ୍ୱର ଓ ଦେବଗଡ଼।