ବାତ୍ୟା ‘ବୁଲ୍‌ବୁଲ୍’ : କାଲିଠୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପବନ

ଭୁବନେଶ୍ୱର : ବାତ୍ୟା ରୂପ ନେବା ପରେ ବଙ୍ଗୋପସାଗରରେ ଅଧିକ ବଳ ଗୋଟାଉଛି ‘ବୁଲ୍‌ବୁଲ୍’। ଶେଷ ସୂଚନା ଅନୁଯାୟୀ, ଏହା ପାରାଦ୍ୱୀପ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍’ ସିଭିୟର୍ ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ‘ବୁଲ୍‌ବୁଲ୍’ ଯଦିଓ ଓଡ଼ିଶାକୁ ଛୁଇଁବ ନାହିଁ, ତେବେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ପବନ ଓ ବର୍ଷା।

ଆସନ୍ତାକାଲି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୯ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡ଼ା ଓ ଜଗତସିଂପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ମୟୂରଭଂଜ, ଯାଜପୁର ଓ କଟକ  ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

IMDର ସୂଚନା ଅନୁଯାୟୀ, ‘ବୁଲ୍‌ବୁଲ୍’ ୯ ତାରିଖରେ ପାରାଦ୍ୱୀପ ଠାରୁ ପ୍ରାୟ ୧୩୮ କିଲୋମିଟର ଦୂରରେ ଅତିକ୍ରମ କରିବ। ତେବେ ବାତ୍ୟା ପ୍ରଭାବରେ ଶୁକ୍ରବାର ଅପରାହ୍ଣରୁ ପବନର ବେଗ ବଢ଼ିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଘଣ୍ଟାପତି ବେଗ ୪୫ରୁ ୫୫ କିଲୋମିଟର ରହିବ। ୯ ତାରିଖରେ ପବନର ବେଗ ବୃଦ୍ଧି ପାଇ ଜଗତସିଂପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୭୦ରୁ ୮୦ କି.ମି ରହିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗଂଜାମ, ପୁରୀ ଓ ଯାଜପୁର ଜିଲ୍ଲାରେ ମଧ୍ୟ ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ।

ବର୍ଷା ଓ ପବନ ଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ଆଶଙ୍କା ରହିଛି। ତେଣୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ଆଜି PMO ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଛନ୍ତି। ସେପଟେ SRC ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପବନର ବେଗ ବଢ଼ିବା ଯୋଗୁଁ କିଛି ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ, କଚ୍ଚା ଘର ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି।

ସେହିପରି ଅମଳ କ୍ଷମ ଫସଲ ତାର୍ପେଲିନ୍ ଓ ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି। ଏପଟେ ପବନ ଓ ବର୍ଷାଜନିତ କ୍ଷୟକ୍ଷତିର ମୁକାବିଲା ଲାଗି ପ୍ରଭାବିତ ହେବାକୁ ଥିବା ପ୍ରତି ଜିଲ୍ଲାକୁ ଦୁଇଟି ଓଡ୍ରାଫ୍ ଓ ଗୋଟିଏ ଲେଖାଏଁ ଏନ୍‌ଡିଆର୍‌ଏଫ୍‌ ୟୁନିଟ୍ ପଠାଯାଇଛି। ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିବେ।

ବାତ୍ୟା ଓଡ଼ିଶା ନଛୁଇଁଲେ ମଧ୍ୟ ପବନ ଓ ବର୍ଷା ଘାଇଲା କରିବାର ଆଶଙ୍କା ରହିଛି। ସେପଟେ ‘ବୁଲ୍‌ବୁଲ୍’ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେ ନେଇ ଏବେ ବି ସସ୍‌ପେନ୍ସ ଲାଗି ରହିଛି।

You might also like