‘ପେତାଇ’ ପ୍ରଭାବରେ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷିବ!

ଭୁବନେଶ୍ୱର: ବାତ୍ୟା ‘ପେତାଇ’ ସ୍ଥଳ ଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେଉଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପୂକଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ପୁରୀ, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେବେ ଆଜି ଅପରାହ୍ନ ବେଳକୁ ପାଗରେ କିଛିଟା ପରିବର୍ତ୍ତନ ଆସିପାରେ। ଗତକାଲି ଅପରାହ୍ନରେ ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେତାଇ’ ସ୍ଥଳଭାଗ ଛୁଇଁଥିଲା।

ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହି ଘୂର୍ଣ୍ଣିଝଡ଼ ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଥିଲା।  ଏହି ସମୟରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟାରେ ଜଣକର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ମିଳିଛି।

ତେବେ ପେତାଇ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ୧୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍, ନୌସେନାର ୨ଟି ହେଲିକପ୍ଟର, ୧୦ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଥିଲା।

You might also like