ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ‘ଡାଏ’; ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର: ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ଝଡ଼ ବାତ୍ୟା ‘ଡାଏ’। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।  ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି।  ଘଣ୍ଟାକୁ ୨୬ କିଲୋମିଟର ବେଗରେ ଏହି ଝଡ଼ ବାତ୍ୟା ‘ଡାଏ’ ଗତି କରୁଛି।  ଧିରେଧିରେ ଛତିଶଗଡ଼ ମୁହାଁଇବ ‘ଡାଏ’।

ଆସନ୍ତା ୬ ଘଣ୍ଟାରେ ଏହା ଅଧିକ ଦୁର୍ବଳ ହେବ। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗିରହିବ।  ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଝଡ଼ ବାତ୍ୟାର ରୂପ ନେଇଥିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳ ଭାଗକୁ ଅତିକ୍ରମ କରିଥିଲା। ସ୍ଥଳଭାଗ ଅତିକ୍ରମ କରିବା ପରେ ଏହି ଝଡ଼ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଝଡ଼ ବାତ୍ୟା ‘ଡାଏ’ର ପ୍ରଭାବରେ ମାଲକାନଗିରି, ଗଞ୍ଜାମ, କୋରାପୁଟ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଭାବିତ ହୋଇଛି। ତେବେ ମାଲକାନଗିରି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। କୋର୍‌କୁଣ୍ଡା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ପୋଟ୍ଟେରୁ ବ୍ରିଜ୍‌ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ ମୋଟୁ ଭାୟା କାଳିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେପଟେ ମାଲକାନଗିରିରେ ବର୍ଷାରେ ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ଘୋଷଣା କରିଛନ୍ତି। ୭ ଦିନ ପର୍ଯ୍ୟନ୍ତ ଏହି ରିଲିଫ ପ୍ରଦାନ କରାଯିବ। ପ୍ରତି ଲୋକଙ୍କୁ ରିଲିଫ୍‌ ବାବଦକୁ ଦୈନିକ ୬୦ ଟଙ୍କା ମିଳିବ। ତେବେ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଦୈନିକ ୪୫ ଟଙ୍କା ମିଳିବ। ଏଥିସହ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

You might also like