ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଦ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ କଳାହାଣ୍ଡି ଆଦି ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।
ତାମଧ୍ୟରୁ ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାରେ ଘଣ୍ଟାକୁ ୫୦ କିଲୋମିଟର ବେଗ ପର୍ଯ୍ୟନ୍ତ ପବନ ବହିବା ସହ ବର୍ଷା ହେବ। ତେଣୁ ଜିଲ୍ଲାପାଳମାନଙ୍କୁ ସତର୍କ କରିଦିଆଯାଇଛି। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ହେବ।
ଆସନ୍ତାକାଲିଠାରୁ ୨୭ ତାରିଖ ଯାଏଁ ଏଭଳି ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଟ୍ୱିଟ୍ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି କରଞ୍ଜଅଡ଼ଇା ଗାଁରେ ବଜ୍ରାଘାତରେ ଘର ଜଳିଯିବା ସହ ଜଣେ ଗୁରୁତର ହୋଇଛନ୍ତି।