ପ୍ରବଳ ବର୍ଷିବ, ୫୦ କିମି ବେଗରେ ବହିବ ପବନ !

ଭୁବନେଶ୍ୱର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଏହି ୪ ଜିଲ୍ଲାକୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଜିଲ୍ଲାଗୁଡିକର ସମୁଦ୍ରକୂଳକୁ ଲାଗିଥିବା ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ବେଳେ ବେଳେ ପବନର ବେଗ ୫୦ କିଲୋମିଟରକୁ ମଧ୍ୟ ଛୁଇଁପାରେ। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। କଚ୍ଚା ଘର ପ୍ରତି ବିପଦ ଥିବା କୁହାଯାଇଛି।

ସେହିପରି ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ପୁରୀ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଏବଂ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି।

ଆସନ୍ତା ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ ଏହା ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଅପରାହ୍ନରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଇଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି। ସେପଟେ ସ୍ଥିତିକୁ ଦେଖି ୪ ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

You might also like