ଆସନ୍ତା ୨୫ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାକୁ ଛାଡ଼ି ବାକି ଅଞ୍ଚଳ ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ଲାଗି ରହିବ। ଏଥିସହ ଝଡ଼ତୋଫାନ, ବଜ୍ରପାତ ଓ ବର୍ଷା ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୁଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ୱରକୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି  ଆଜି ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ଘଡ଼ଘଡ଼ି ବି ମାରିବ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରେ ସର୍ବାଧିକ ୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

You might also like