ଭୁବନେଶ୍ୱର : ଆସୁଛି ପ୍ରବଳ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି।
ଗଜପତି ଜିଲ୍ଲାରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି। ବର୍ଷାର ପରିମାଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର ୭ଟି ବ୍ଲକର ବିଡିଓ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ। ଚାଷୀ ମାନଙ୍କୁ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ସଚେତନ କରାଯାଇଛି।
ଅନ୍ୟପଟେ ପାଣିପାଗ ବିଭାଗ ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୫ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।