ସୁପରସ୍ପ୍ରେଡର ପାଲଟିବ ନି ତ ଟିକାକରଣ ଅଭିଯାନ?

ଟିକାଦାନ କେନ୍ଦ୍ରରେ ପ୍ରବଳ ଗହଳି

  • ଟିକାଦାନ କେନ୍ଦ୍ରରେ ପ୍ରବଳ ଗହଳି
  • ଟିକା ନେବା ଲାଗି ରାଜ୍ୟବ୍ୟାପି ଅନେକ କେନ୍ଦ୍ରରେ ନାହିଁ ନଥିବା ଭିଡ଼
  • ଟିକାକରଣ କେନ୍ଦ୍ରରେ ଖୁଲମଖୁଲା ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ
  • ବିଶେଷଜ୍ଞଙ୍କ ଆଶଙ୍କା ତୁରନ୍ତ ସମାଧାନ ନ ହେଲେ ଅଧିକ ବ୍ୟାପିକ କରୋନା

ଭୁବନେଶ୍ୱର: କରୋନା ବିରୋଧୀ ମହାଯୁଦ୍ଧରେ ସବୁଠାରୁ ବଡ଼ ଅସ୍ତ୍ର ହୋଇଥିବା ଟିକାକରଣ ଅଭିଯାନ ଏବେ ପାଲଟିଛି ମୁଣ୍ଡବ୍ୟଥାର କାରଣ। ଖାସ୍ କରି ପରିଚାଳନାଗତ ତ୍ରୁଟି ବଢ଼ାଇଛି ଚିନ୍ତା। କାରଣ ସବୁଠି ଟିକା ପାଇଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ନା ରୋକାଯାଇପାରୁଛି, ନା ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କୁ ଭ୍ୟାକ୍ସିନ୍ ଦିଆଯାଇପାରୁଛି। ପରିଣାମ ସ୍ୱରୂପ, ଟିକାକରଣ କେନ୍ଦ୍ରରେ ବାଟବଣା ହୋଇଯାଇଛି କୋଭିଡ୍ କଟକଣା। ଆଉ ସେହି ଅବ୍ୟବସ୍ଥାର ଚିତ୍ର ଦେଖିଲେ ମନରେ ଉଠୁଛି ଗୋଟିଏ ପ୍ରଶ୍ନ, ଟିକାକରଣ କେନ୍ଦ୍ର ପାଲଟିଯିବନି ତ ସୁପରସ୍ପ୍ରେଡର? 

ମୃତ୍ୟୁର କୋରଡ଼କୁ ଭିଡ଼ି ନେଉଥିବା କରୋନାଠୁ ବର୍ତ୍ତିବା ପାଇଁ ଅସ୍ତ୍ର ସାଜିଛି କୋଭିଡ୍ ଟିକା। ଆଉ ସେହି ସୁରକ୍ଷା କବଚ ପାଇଁ ସବୁଠି ଏବେ ଲମ୍ବାଲାଇନ୍, ଅସମ୍ଭାଳ ଭିଡ଼ ବି ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ଭିଡ଼ ହିଁ ବୟାନ କରୁଛି, କୋଭିଡ୍ କଟକଣା ଏଠାରେ କେମିତି ବାଟବଣା ହୋଇଛି। ଦେହକୁ ଦେହ ଘସାଘସି ଅବସ୍ଥାରେ ଛିଡ଼ା ହୋଇଛନ୍ତି ଲୋକେ। କେଉଁ ଯାଏଁ ଧାଡ଼ି ଲମ୍ବିଛି, ଆଖି ବି ପାଉନି। ସେପଟେ, ଭଣ୍ଡାରୀପୋଖରୀର ଟିକାକରଣ କେନ୍ଦ୍ରର ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେମିତି ମେଳା ମହୋତ୍ସବ ଚାଲିଛି।

ଜଗତସିଂପୁର ଜିଲ୍ଲାରେ ବି ଅବସ୍ଥା ସମାନ। ସବୁଠି ଉଡୁଛି ସାମାଜିକ ଦୂରତାର ଧଜ୍ଜିଆ। ଯୁବଠୁ ବୟସ୍କ, ମହିଳାଠୁ ପୁରୁଷ… ଏମାନଙ୍କ ମଧ୍ୟରୁ ପ୍ରଥମ ଡୋଜ ପାଇଁ କିଏ ରାତିରୁ ଆସି ଲାଇନ ଲଗାଇଛନ୍ତି ତ ଆଉ କିଏ ଦ୍ୱିତୀୟ ଡୋଜ୍ ପାଇଁ ଭୋରରୁ ଛିଡ଼ା ହୋଇଛନ୍ତି। ହେଲେ କେବେ ମିଳିବ କରୋନା ଟିକା, ଭିଡ଼ ଭିତରେ ସମସ୍ତେ ଅଜଣା। ଆଉ ଏମିତି ଚିତ୍ର ରାୟଗଡ଼ାରେ ବି ଦେଖିବାକୁ ମିଳିଛି। ଟିକାଦାନ କେନ୍ଦ୍ର ବାହାରେ ଯେତିକି ଭିଡ଼, ଭିତରେ ବି ସେତିକି ଗହଳି ଲାଗୁଛି। ଅସମ୍ଭାଳ ସ୍ଥିତିକୁ ସମ୍ଭାଳିବାକୁ ପୋଲିସ ବାଡ଼ି ଉଞ୍ଚାଉଛି, ହେଲେ ମାନୁଛି କିଏ?

ବରଂ ଯୁକ୍ତିତର୍କ, ବାକ୍ ବିତଣ୍ଡା ହେଉଛି। ତେଣେ ବାଲେଶ୍ୱରରେ ଲୋକଙ୍କ ପାଖକୁ ମେସେଜ୍ ଯାଇଥିଲେ ବି ଟିକା ନଥିବାରୁ କେନ୍ଦ୍ରରେ ତାଲା ଝୁଲୁଛି। ସପ୍ତାହାନ୍ତ ସଟଡାଉନ ପରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ମହାନଗର ଏବଂ ଜିଲ୍ଲାର ବିଭିନ୍ନ ସରକାରୀ ମେଡ଼ିକାଲଗୁଡ଼ିକରେ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ। ଟିକା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧି ଅସମ୍ଭାଳ ଖରାରେ କଲବଲ ହୋଇଥିଲେ ସାଧାରଣ ଜନତା।  ଟିକା ପାଇଁ ଲାଇନ୍ ସବୁଠି ଲାଗିଛି। ଜବାହରଲାଲ୍ ନେହରୁ ଇନଡ଼ୋର୍‌ ଷ୍ଟାଡ଼ିୟମରେ ମେଗା ଟିକାକରଣ ଅଭିଯାନର ପ୍ରଥମ ଦିନରେ ଅସମ୍ଭାଳ ସ୍ଥିତି ହୋଇଛି। ଲୋକଙ୍କୁ ବୁଝାଇବା ପାଇଁ ଖୋଦ୍ ଡିସିପି ମୈଦାନରେ ପହଞ୍ଚିଥିଲେ।

ଟିକାକରଣକୁ ବ୍ୟବସ୍ଥିତ କରିବା ପାଇଁ ଅନଲାଇନ୍ ପଞ୍ଜିକରଣଠୁ ଆରମ୍ଭ କରି ନିର୍ଦ୍ଦିଷ୍ଟ ସମୟର ସ୍ଲଟ୍ ଆବଣ୍ଟନ ପର୍ଯ୍ୟନ୍ତ କେତେକଣ ବ୍ୟବସ୍ଥା କରିଥିବା ଦାବି କରୁଛନ୍ତି ରାଜ୍ୟ ସରକାର। ଭିଡ଼କୁ ଏଡ଼ାଇ କରୋନାର କୋପକୁ କମାଇବାକୁ ରାଜ୍ୟ ବ୍ୟାପି ଲଡଡାଉନ୍‌ ବି ଘୋଷଣା ହୋଇଛି। ତାହା ଛଡ଼ା ସାମାଜିକ ଦୂରତ୍ୱ କରୋନାରୁ ବର୍ତ୍ତିବାକୁ ଯେ ଏକ ବଡ଼ ଉପାୟ, ଏକଥା ବର୍ଷେରୁ ଅଧିକ ସମୟ ହେଲା ଆମେ ଜାଣିଲେଣି। ହେଲେ ତା ସତ୍ତ୍ୱେ ଏଭଳି ଅସମ୍ଭାଳ ଗହଳି କାହିଁକି? କରୋନାର ଦ୍ୱିତୀୟ ଲହରି ଯୋଗୁଁ ଟୀକା ନେବାକୁ ଲୋକଙ୍କ ଭିତରେ ହଠାତ୍ ପ୍ରବଳ ଆଗ୍ରହ ଦେଖାଦେବା, ଅନ୍ୟପଟେ କମ୍ ଟୀକାଦାନ କେନ୍ଦ୍ର ଓ ଟୀକାର ଅଭାବୀ ଅବସ୍ଥା ଏ ଭିଡ଼ ପାଇଁ ଦାୟୀ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା, ତୁରନ୍ତ ଏହି ସମସ୍ୟାକୁ ରୋକାନଗଲେ ଟିକାଦାନ ପ୍ରକ୍ରିୟାରେ ବିଳମ୍ବ ହେବା ସହ ସଂକ୍ରମଣ ମଧ୍ୟ ବ୍ୟାପିପାରେ।

You might also like