ବଙ୍ଗ ପରେ ଏବେ ଟେନ୍‌ସନ୍‌ ଦେଲା ଆନ୍ଧ୍ର, ସୀମାରେ ହେଉଛି ଜୋରଦାର ଚେକିଂ

ପ୍ରତି ବ୍ଲକରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ

  • ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର
  • ତେଲେଙ୍ଗାନା ଓ ଆନ୍ଧ୍ର ସଂଲଗ୍ନ ୬ ଜିଲ୍ଲା ସୀମା ସିଲ୍, କଡା ଯାଞ୍ଚ
  • ଜିଲ୍ଲାପାଳମାନଙ୍କ ସହ ଆଲୋଚନା କଲେ ମୁଖ୍ୟଶାସନ ସଚିବ, ଏସଆରସି
  • ପ୍ରତି ବ୍ଲକରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର। ପ୍ରବାସୀ ଓଡ଼ିଆ ଫେରୁଥିବାରୁ ବଢ଼ୁଛି ଚିନ୍ତା। ଏଥିପାଇଁ ଏ ଦୁଇ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଓ ଏସ୍ଆରସି ୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଳକରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଡର ଉପରେ ନଜର ରଖାଯାଇଥିଲେ ବି ଚିନ୍ତା ବଢାଉଛନ୍ତି ଟ୍ରେନ୍ ଯାତ୍ରୀ।

ପଶ୍ଚିମ, ଉତ୍ତର ପରେ ଏବେ ଦକ୍ଷିଣ ସୀମା ସିଲ୍। ପ୍ରଥମେ ଛତିଶଗଡ଼, ପରେ ପଶ୍ଚିମବଙ୍ଗ ଆଉ ଏବେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ବର୍ଡର ବେଙ୍ଗଲ୍ ଷ୍ଟ୍ରେନ୍ ପରେ ରାଜ୍ୟକୁ ଘାରିଛି ଆନ୍ଧ୍ର ଷ୍ଟ୍ରେନ୍ ଡର। ଆନ୍ଧ୍ର ଭେରିଆଣ୍ଟ ତୀବ୍ର ବେଗରେ ସଂକ୍ରମିତ କରୁଥିବାରୁ ରାଜ୍ୟ ସରକାର ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୁଇ ରାଜ୍ୟ ସଂଲଗ୍ନ ୬ଟି ଜିଲ୍ଲା ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସୀମା ଜଗିବା ସହ କଡ଼ାକଡ଼ି ଯାଂଚ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ପାରଳାଖେମୁଣ୍ଡି, କୋରାପୁଟ, ଚିତ୍ରକୋଣ୍ଡା ଓ ଉମରକୋଟର ସବୁ ପ୍ରବେଶ ପଥରେ କଡ଼ାକଡ଼ି ଚେକିଂ ଚାଲିଛି।

ଆବଶ୍ୟକ ସ୍ଥଳେ କୋଭିଡ୍ ଟେଷ୍ଟ ବି କରାଯାଉଛି। କାହିଁକି ନା ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିଲେ ୪୮ ଘଣ୍ଟା ଭିତରେ ହୋଇଥିବା RTPCR ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇ ଡୋଜ୍ ଟିକା ନେଇଥିବାର ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ଏହାପରେ ବି ସେମାନଙ୍କୁ ୭ ଦିନର ଗୃହ ସଂଗରୋଧ ଏବଂ ଏସବୁ ନଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଆଜି ମୁଖ୍ୟଶାସନ ସଚିବ ଓ ଏସ୍ଆରସି ୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଳକରେ ଟିଏମ୍ସି ଖୋଲିବାକୁ କହିଛନ୍ତି।

ସଂକ୍ରମଣ ବଢ଼ିବା ପରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ର ବର୍ଡର ସିଲ୍ କରାଯାଇଛି। ରାଜ୍ୟ ବାହାରକୁ ବସ୍ ଯାଆସ କରୁନାହିଁ। ହେଲେ ଟ୍ରେନ୍ ସେବା ପୂର୍ବଭଳି ଚାଲୁ ରହିଛି, ଯାହା ଏବେ ମୁଣ୍ଡବଥାର କାରଣ ହୋଇଛି।  ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ଖଚାଖଚ ଭିଡ଼ କିନ୍ତୁ ଆଜି ଦେଖିବାକୁ ମିଳିଥିଲା। ଦିଲ୍ଲୀ, ମହାରାଷ୍ଟ୍ର , ପଶ୍ଚିମବଙ୍ଗ ଓ ଛତିଶଗଡ଼ ଭଳି ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶାକୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଆସୁଛନ୍ତି। ପ୍ରତିଦିନ ଭୁବନେଶ୍ୱର ଦେଇ ୧୦୦ଟି ଟ୍ରେନ୍ ଯିବା ଆସିବା କରୁଥିବାବେଳେ ଏସବୁଥିରେ ପ୍ରାୟ ୧୦ ହଜାର ଯାତ୍ରୀ ଯାଆସ କରୁଛନ୍ତି।

ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ, ସଂକ୍ରମଣ ବଢ଼ିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯, ୮୮୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ କ୍ୱାରେଣ୍ଟାଇନରୁ ବାହାରିଛନ୍ତି ୫, ୬୧୧। ତେଣୁ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ନେଇ ବଢୁଛି ଚିନ୍ତା। ପୂର୍ବରୁ ଛତିଶଗଡ଼ ଦେଇ ଆସୁଥିବା ଟ୍ରେନ୍ ବନ୍ଦ କରିବାକୁ ମୁଖଶାସନ ସଚିବ ରେଳ ବୋର୍ଡ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ କିନ୍ତୁ ତାହା ହୋଇପାରିନଥିଲା। ଟ୍ରେନ୍ ଯାତ୍ରୀଙ୍କୁ କିଭଳି ସଂଗରୋଧରେ ରଖି ସଂକ୍ରମଣ ରୋକାଯାଇ ପାରିବ ତାହା ଏବେ ବଡ଼ ଚ୍ୟାଲେଞ୍ଜ।

ସେପଟେ ମେ ମାସ ରାଜ୍ୟ ପାଇଁ ଘାତକ ହେବାରେ ଲାଗିଛି। ଚଳିତ ମାସର ପ୍ରଥମ ୫ ଦିନରେ ଗଲାଣି ୬୧ ଜୀବନ। ମେ ୧ ରେ ୧୧, ମେ ୨ ରେ ୧୪, ମେ ୩ରେ ୫ , ମେ ୪ରେ ୧୫ , ମେ ୫ ରେ ୧୬ ଜଣଙ୍କ ଯାଇଛି ଜୀବନ। ଦ୍ୱିତୀୟ ଲହରରେ ଆଜି ସର୍ବାଧିକ ୧୬ ଜଣଙ୍କ ଜୀବନ ଯାଇଛି।

You might also like