ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ । ନା ଘରେ ରହି ହେଉଛି ନା ବାହାରେ । ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ସେପଟେ ଉପକୂଳ ଅଞ୍ଚଳରେ ତାପମାତ୍ରା ଅଧିକ ନାହିଁ । କିନ୍ତୁ ଆଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ହେଉଛି । ତେଣୁ ଜନଜୀବନ ଅସ୍ତବ୍ୟସ୍ତ । ଆସନ୍ତାକାଲି ପାଗରେ ସାମାନ୍ୟ ପରିବର୍ତ୍ତନ ସହିତ ତାପମାତ୍ରା ଟିକେ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ କହିଛନ୍ତି ।
ସମ୍ବଲପୁର ସହରର ପାରା ୪୫ ଡିଗ୍ରୀ ରହୁଛି । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ଘରୁ ବାହାରି ହେଉ ନାହିଁ । ଜରୁରୀ କାମ ନ ଥିଲେ କେହି ଗୋଡ଼ କାଢୁ ନାହାନ୍ତି। ଲାଗୁଛି ସହରରେ ସତେ ଯେମିତି କଫ୍ୟୁ ଜାରି ହୋଇଛି । ପ୍ରଚଣ୍ଡ ଖରା ଯୋଗୁଁ ଉତ୍କଟ ପାଣି ସମସ୍ୟା ମଧ୍ୟ ଦେଖା ଦେଇଛି ।