ତାତିରୁ ମିଳିବ ଆଶ୍ୱସ୍ତି ! ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ହେଲାଣି ତାତି । ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଡହଡହ ଖରାରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ମାସରେ ଯଦି ଏମିତି ଖରା, ଏପ୍ରିଲ, ମେ’ କେମିତି କଟିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜ୍ୟବାସୀ।

ଗତକାଲି ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଥିଲା ଟିଟିଲାଗଡ଼ । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, ହୀରାକୁଦ ୪୧.୧ ଡିଗ୍ରୀ ଥିଲା। ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ ସେଲ୍‌ସିୟସ। ଆସନ୍ତା ୪୮ ଘଣ୍ଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବଲାଙ୍ଗିର ଓ ସୋନପୁରକୁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ପାଣିପାଗ ପୂର୍ବନୁମାନ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।  ବଙ୍ଗୋପସାଗରେ ଲଘୁଚାପ ସମ୍ଭାବନା ଦେଖା ଦେଇଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଘୁୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାର ପ୍ରଭାବରେ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ। ଆକାଶ ବାଦଲରେ ଆଛାଦିତ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଆରବ ସାଗର ଉପରେ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା ଦେଖାଦେଇଛି।

ଅନ୍ୟପକ୍ଷରେ, ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

You might also like