ଭୁବନେଶ୍ୱର: ମାଘରୁ ଘାରିଲାଣି ନିଦାଘ ଚିନ୍ତା। ଫେବୃଆରୀ ମାସ ସରି ନଥିବାବେଳେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ଛୁଇଁବ ହେଲାଣି। ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।
ବଢୁଥିବା ତାତିକୁ ଦେଖି ରାଜ୍ୟ ସରକାର ଆଗୁଆ ଅଂଶୁଘାତ ସତର୍କ ସୂଚନା ଜାରି କରିଛନ୍ତି। ଅଂଶୁଘାତ ପାଇଁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଡେପୁଟି ରିଲିଫ କମିଶନର ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ୍କୁ ପାଣି ବୋତଲ ସାଙ୍ଗରେ ଆଣିବା ପାଇଁ କୁହାଯାଇଛି। ଏହାସହ ସକାଳୁଆ ସ୍କୁଲ୍ ଓ ଶ୍ରମିକଙ୍କ କାମ ନିର୍ଘଣ୍ଟ ସଠିକ୍ ସମୟରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
https://youtu.be/SyslAJ871DA
ଅନ୍ୟପକ୍ଷେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦେଇଛନ୍ତି। ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦିଆଯାଇଛି। ଟ୍ୟୁବ୍ୱେଲ ଓ ପାଇପ୍ ଲାଇନ୍ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ୧୯୯୮ ମସିହାରେ ରାଜ୍ୟରେ ଅଂଶୁଘାତରେ ୨ହଜାର ୪୨ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୧୬ରେ ୫୪ ଜଣ, ୨୦୧୭ରେ ୪୫ ଜଣ, ୨୦୧୮ରେ ୬୦ ଜଣ, ୨୦୧୯ରେ ୫୦ ଜଣ ଓ ଗତବର୍ଷ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।