ପୋଡ଼ିଗଲା ଖଳାରେ ଥିବା ଧାନ

ଗଞ୍ଜାମ: ନିଆଁରେ ଜଳିଗଲା ବର୍ଷକର ପରିଶ୍ରମ। ଖଳାରେ ଥିବା ଧାନ ସବୁ ଗଦା ହୋଇଥିବା ବେଳେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ଭଞ୍ଜନଗର ଗାମୁଣ୍ଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗାମୁଣ୍ଡି ଗାଁର ଏକ ଖଳାରେ ପ୍ରାୟ ୧୫ ଗୋଟି ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗାମୁଣ୍ଡି ଗାଁର ଅଜୟ ମଲ୍ଲଙ୍କ ୧୨ଟି ଧାନଗଦା ଓ ଲମ୍ବୋଦର ସ୍ୱାଇଁଙ୍କର ୩ଟି ଧାନଗଦାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା।

ଧାନ ଖଳାରେ ନିଆଁ ଲାଗି ଯାଇଥିବା ଜାଣିବାକୁ ପାଇବା ପରେ ତତ୍‌କ୍ଷଣାତ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଏଥିସହ ଦମକଳ ବାହିନୀକୁ ମଧ୍ୟ ଏସମ୍ପର୍କରେ ସୂଚନା ଦେଇଥିଲେ। କିନ୍ତୁ ଦମକଳ ଆସିବା ବେଳକୁ ଅଧିକାଂଶ ଧାନ ପୋଡ଼ି ପାଉଁଶ ହୋଇ ଯାଇଥିଲା।

ତେବେ ଧାନ ଖଳାରେ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା କାରଣରୁ ନା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ିନି।

You might also like