ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର: ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ରର ଅାୟୁଷ୍ମାନକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ ପରେ ବି ତୁଟୁନି ବିବାଦ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି ନଡ୍ଡାଙ୍କୁ ଜବାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯୁକ୍ତି, ଅାୟୁଷ୍ମାନରେ କିଏ ହିତାଧିକାରୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ କିନ୍ତୁ ହିତାଧିକାରୀ ଚୟନ ହୋଇସାରିଛନ୍ତି। ତେଣୁ ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା କେନ୍ଦ୍ରର ଯୋଜନା ଠାରୁ ବେଶ୍‌ ଭଲ ବୋଲି ଯୁକ୍ତି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଅାୟୁଷ୍ମାନ ଭାରତରେ ଓଡିଶାର ୬୧ ଲକ୍ଷ ପରିବାର ସୁବିଧା ପାଇବେ ବୋଲି କୁହାଯାଉଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣରେ ସରକାରଙ୍କ ଦାବି ୭୦ ଲକ୍ଷ ପରିବାର ସ୍ୱାସ୍ଥ୍ୟ ସୁବିଧା ପାଇବେ। ଅାୟୁଷ୍ମାନରେ ଗୋଟିଏ ପରିବାରକୁ  ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ପବରିବାରପ୍ରତି ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ଅଧିକ ୨ ଲକ୍ଷ ଅର୍ଥାତ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ରହିଛି। ଅାୟୁଷ୍ମାନରେ ସବୁ ସରକାରୀ ଓ ଘରୋଇ ହସପିଟାଲରେ ଚିକିତ୍ସା ସହ ରାଜ୍ୟ ବାହାର ହସପିଟାଲ ମଧ୍ୟ ସୁବିଧା ମିଳିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ କେବଳ ରାଜ୍ୟ ଭିତରେ ଥିବା ସବୁ ସରକାରୀ ଓ ୨୨୦ଟି ଘରୋଇ ହସ୍ପିଟାଲ୍‌ରେ ସେବା ମିଳିବ।

ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ପ୍ରଥମେ ସରକାର କହିଥିଲେ ୭୦ ଲକ୍ଷ ପରିବାର ଉପକୃତ ହେବେ। ଏବେ ବିଜ୍ଞାପନରେ କହିଛନ୍ତି ୪ କୋଟି ୫୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ପ୍ରଥମେ ପ୍ରଚାର ବେଳେ ବୀମା କଥା ଉଲ୍ଲେଖ କରିଥିବା ବେଳେଏବେ କିନ୍ତୁ ସ୍ୱାସ୍ଥ୍ୟ ସହାୟତା ମିଳିବା ନେଇ ଉଲ୍ଲେଖ କରିଛନ୍ତି। ଅାୟୁଷ୍ମାନ ଭାରତରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ବହନ କରିବାର ବ୍ୟବସ୍ଥା ରହିଛି। ତେବେ ରାଜ୍ୟ କେନ୍ଦ୍ରର ଏହି ସ୍ୱାସ୍ଥ୍ୟ ଯୋଜନାକୁ ପ୍ରତ୍ୟାଖାନ କରି ଅଗଷ୍ଟ ୧୫ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ କରିଛନ୍ତି। ସେପଟେ ସେପ୍ଟେମ୍ବର ୨୫ରୁ ଦେଶରେ ଅାରମ୍ଭ ହେବ ଅାୟୁଷ୍ମାନ ଭାରତ ଯୋଜନା।

You might also like