ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଧିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ର ଚିହ୍ନଟ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୮ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦ୍ଧିଷ୍ଟ କୋଭିଡ୍ ଟିକାଦାନ କେନ୍ଦ୍ର ଚିହ୍ନଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ରାଜ୍ୟର ୫ଟି ମହାନଗର ନିଗମର କମିଶନରଙ୍କୁ ଚିଠି ଲେଖିଛନ୍ତି।

ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଏବଂ ନିରୀକ୍ଷଣ ଗୃହ ଥିବା ଆବଶ୍ୟକ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କେନ୍ଦ୍ର ସ୍ୱାସ୍ଥ୍ୟାନୁଷ୍ଠାନରେ ହେବା ଆବଶ୍ୟକ। ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟାନୁଷ୍ଠାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ତା’ଠାରୁ ବଡ଼ ହେବା ଆବଶ୍ୟକ ବୋଲି ଚିଠିରେ ଦର୍ଶାଯାଇଛି।

ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ ଜଣିଆ ଟିମ୍‌ ଚିହ୍ନଟ କରାଯିବ। ଟିକାଦାନ ପରେ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ, ତେବେ ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ମେଡ଼ିକାଲ ଅଫିସର ନିଯୁକ୍ତ ରହିବେ ବୋଲି ଚିଠିରେ ଦର୍ଶାଯାଇଛି। ଏହାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌ ଖୋଲାଯିବ।

ଅନ୍ୟପକ୍ଷରେ, ଚଳିତ ମାସ ୩୦ ତାରିଖ ସୁଦ୍ଧା ରାଜ୍ୟକୁ କରୋନା ଟିକା ଆସିଯାଇପାରେ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଟିକା ଯୋଗାଇବା ମାତ୍ରେ ତତ୍‌କ୍ଷଣାତ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତ ବି ସରିଛି।

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, କେନ୍ଦ୍ରରୁ ଟିକା ସପ୍ଲାଏ ଆରମ୍ଭ ହେଲେ, ରାଜ୍ୟ ସରକାର ତୁରନ୍ତ ଟିକାକରଣ ବ୍ୟବସ୍ଥା କରିବେ। ଟିକା ପହଞ୍ଚିବାର ଦିନେ ଦୁଇଦିନ ଭିତରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ନିଷ୍ପତ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ବ୍ୟବହାର କରାଯିବ।

କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀ ବ୍ୟବହାର ନେଇ Drug Controller General of India (DCGI) ଭିଜି ସୋମାନୀ ଅନୁମତି ଦେଇଛନ୍ତି।

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଏକ୍ସପର୍ଟ କମିଟି ସୁପାରିଶ କରିଥିଲା। ତେବେ ଜାନୁଆରୀ ୩ରେ ଏହାକୁ ବିଧିବଦ୍ଧ ଭାବେ ଜରୁରୀ ବ୍ୟବହାର ନେଇ ଅନୁମତି ମିଳିଛି।

You might also like