ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ: ୧୪ ନମୁନାରୁ ଗୋଟିଏ ପଜିଟିଭ୍
ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ଦେଶରୁ ସେ ଫେରିଥିବା ସୂଚନା ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ଘର ଭୁବନେଶ୍ୱରରେ।
ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଥିଲା। ଆର୍ଏମ୍ଆର୍ସିରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇ ଥିଲା। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।