ରକ୍ତ ପରୀକ୍ଷା ପାଇଁ ଛିଡ଼ା ହେବାକୁ ପଡ଼ୁଛି ୭ରୁ ୮ ଘଣ୍ଟା

ବ୍ରହ୍ମପୁର: ରୋଗୀଙ୍କ ଯନ୍ତ୍ରଣାଠୁ ବଳି ଯାଇଛି ରକ୍ତ ପରୀକ୍ଷା ପାଇଁ ଥିବା ଲମ୍ବା ଲାଇନ୍। ମାଗଣାରେ ରକ୍ତ ପରୀକ୍ଷା ପାଇଁ ସରକାରଙ୍କ ସୁବିଧାର ବାସ୍ତବ ଚିତ୍ର କ’ଣ, ତାହା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜକୁ ଦେଖିଲେ ଆପଣ ଜାଣିପାରିବେ।

ରକ୍ତ ପରୀକ୍ଷା ପାଇଁ ୭ରୁ ୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଯାହା ରୋଗୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି।

ସରକାରୀ ଡାକ୍ତରଖାନାରେ ମାଗଣାରେ ରକ୍ତ ପରୀକ୍ଷା ହେବ। ରୋଗୀଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଏହି ପରିକଳ୍ପନା କରିଥିଲେ। ତେବେ ଏହାର ବାସ୍ତବ ଚିତ୍ର କ’ଣ ତାହା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ର ରକ୍ତ ପରୀକ୍ଷା କେନ୍ଦ୍ରକୁ ଦେଖିଲେ ଜଣାପଡ଼ୁଛି।

ସକାଳୁ ସକାଳୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଲମ୍ବା ଧାଡ଼ିରେ ଛିଡ଼ା ହେବାର ଦେଖିବାକୁ ମିଳୁଛି। ଘଣ୍ଟା ଘଣ୍ଟା ଧରି ଲୋକେ ଛିଡ଼ା ହୋଇ ରହୁଛନ୍ତି। ବୃଦ୍ଧ, ମହିଳା ଏବଂ ଶିଶୁ, ସମସ୍ତଙ୍କ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଯଦି, ରକ୍ତ ପରୀକ୍ଷା ବି ହେଉଯାଉଛି ତେବେ ରିପୋର୍ଟ ନେବାକୁ ବି ସମାନ ଭାବେ ଅପେକ୍ଷା କରିବାକୁ ପଡ଼ୁଛି। ରୋଗ ଯନ୍ତ୍ରଣାରୁ ବଳି ଯାଇଛି ଏମ୍‌କେସିଜିର ରିଜନାଲ୍‌ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ସମ୍ମୁଖରେ ଅପେକ୍ଷାର କଷ୍ଟ।

ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଲୋକ ଏମ୍‌କେସିଜି ମେଡିକାଲ୍ ଉପରେ ନିର୍ଭର କରନ୍ତି। ଉନ୍ନତମାନର ଚିକିତ୍ସା ଓ ସୁବିଧା ପାଇଁ ପ୍ରତିଦିନ ଶତାଧିକ ରୋଗୀ ମେଡିକାଲ୍‌ରେ ଭର୍ତ୍ତି ହୁଅନ୍ତି।

ତେବେ ରକ୍ତ ପରୀକ୍ଷା ପାଇଁ ରୋଗୀଙ୍କୁ ହଇରାଣ ହରକତ ହେବାକୁ ପଡ଼ୁଛି। ଏହାକୁ ନେଇ ଏମ୍‌କେସିଜି ମେଡିକାଲ କଲେଜ ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ରୋଗୀଙ୍କ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଦୁଇରୁ ତିନି ଗୁଣ ବଢ଼ିଛି। ୨୪ ଘଣ୍ଟିଆ ରୋଗ ନିଦାନ କେନ୍ଦ୍ର ସହ ମାନବ ସମ୍ବଳ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯାହା ମାସକ ମଧ୍ୟରେ ଖୋଲିବ ବୋଲି ଡିନ୍ କହିଛନ୍ତି।

You might also like