ପିଲାଙ୍କ ପାଇଁ ପ୍ରଧାନଶିକ୍ଷକ ‌ସାଜିଲେ ରିକ୍ସାବାଲା; ଟ୍ରଲିରେ ବହି ବୋହି ପିଲାଙ୍କୁ ବାଣ୍ଟୁଛନ୍ତି

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସାର୍‌ ହେବ ତ ଏମିତି। ପିଲାମାନଙ୍କୁ ପଢ଼ା ବହି ଯୋଗାଇବା ପାଇଁ ପ୍ରଧାନଶିକ୍ଷକ ସାଜିଲେ ରିକ୍ସାବାଲା।  ରିକ୍ସାରେ ପିଲାଙ୍କ ବହି ନେଇ ପିଲାଙ୍କ ଘରେ ବହି ଯୋଗାଉଛନ୍ତି ପ୍ରଧାନଶିକ୍ଷକ। ତାଙ୍କ ପଛରେ ଚାଲୁଛନ୍ତି ସ୍କୁଲ୍‌ର ଶିକ୍ଷୟତ୍ରୀ।

ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସାନଖେମୁଣ୍ଡି ବ୍ଲକ୍‌ ପୁଡ଼ାମାରୀ ଗାଁରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଘର ଘର ବୁଲି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଉଛନ୍ତି।

ଗାଁ ସ୍କୁଲର ପ୍ରଧାନଶିକ୍ଷକ ସଦାଶିବ ପାଢ଼ୀ ନିଜେ ରିକ୍ସା ଚଲାଇ ଛାତ୍ରାଛାତ୍ରୀମାନଙ୍କ ପାଖକୁ ପାଠ୍ୟ ପୁସ୍ତକ ବୋହି ନେଉଥିବା ଦେଖିବାକୁ ମିଳିଛି। ସ୍କୁଲ୍‌ର ଶିକ୍ଷୟିତ୍ରୀମାନେ ତାଙ୍କ ପଛରେ ଚାଲି ଚାଲି ଯାଇ ଛାତ୍ରଛାତ୍ରୀଙ୍କୁ ବହି ବାଣ୍ଟିବାରେ ସାହାଯ୍ୟ କରୁଛନ୍ତି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବହି ବଣ୍ଟାଯାଉଛି।

ପ୍ରଧାନଶିକ୍ଷକ ରିକ୍ସାରେ ବହି ବୋହି ନେବାର ଦୃଶ୍ୟକୁ କେହି ଜଣେ ଭିଡିଓରେ କଏଦ୍ କରି ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ଏହା ଏବେ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖି ଗଞ୍ଜାମ ଜିଲାପାଳ ଓ ବିଜେପିର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର ପ୍ରଧାନ ଶିକ୍ଷକଙ୍କୁ ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ, ସେମାନେ ସୋଶାଲ୍ ମିଡିଆରେ ମଧ୍ୟ ଏ ସଂପର୍କରେ ସୂଚନା ଦେଇଛନ୍ତି।

You might also like