ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ପ୍ରଧାନଶିକ୍ଷକଙ୍କୁ ଗଛରେ ବାନ୍ଧିଦେଲେ ଗ୍ରାମବାସୀ
ବ୍ରହ୍ମପୁର: କରୋନା ମୁକାବିଲା ସାଙ୍ଗକୁ କ୍ୱାରେଣ୍ଟିନ ସେଣ୍ଟର ଓ ପ୍ରବାସୀଙ୍କ ସମସ୍ୟା ଏବେ ମୁଖ୍ୟ ଚିନ୍ତାର କାରଣ ପାଲିଟିଛି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରରେ ଖାଇବା, ଶୋଇବାରେ ଅବ୍ୟବସ୍ଥା ତ କେଉଁଠି ପ୍ରବାସୀମାନେ ଏଠାରେ ରହିବାକୁ ଚାହୁଁ ନାହାନ୍ତି। କେଉଁଠି କ୍ୱାରେଣ୍ଟିନ ସେଣ୍ଟରକୁ ଗ୍ରାମବାସୀ ବିରୋଧ କରୁଛନ୍ତି। । ତେବେ ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିବାରୁ ଜଣେ ପ୍ରଧାନଶିକ୍ଷକ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡାଳୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ।
ପ୍ରଧାନଶିକ୍ଷକ ସୁରତରୁ ଫେରିଥିବା ୬ ଜଣ ପ୍ରବାସୀଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲେ। କ୍ଷେତମୁଣ୍ଡାଳୀ ଗାଁର କିଛି ଲୋକେ ଏହାକୁ ବିରୋଧ କରିଥିଲେ । ଗାଁରେ କ୍ୱାରେଣ୍ଟିନ୍ ସେଣ୍ଟରକୁ ବିରୋଧ କରି ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପ୍ରଧାନଶିକ୍ଷକ ପହଞ୍ଚିବାରୁ ତାଙ୍କୁ ୩ ଜଣ ଅସାମାଜିକ ଯୁବକ ଗଛରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନଶିକ୍ଷକ ।
ଏପଟେ ଘଟଣାସ୍ଥଳରେ ଜଗନ୍ନାଥପ୍ରସାଦ ବିଡିଓ, ଥାନା ଅଧିକାରୀ ଓ ସରପଞ୍ଚ ପହଞ୍ଚି ଆକ୍ରମଣକାରୀ ଯୁବକମାନଙ୍କୁ ଥାନାକୁ ନେଇଥିଲେ । ହେଲେ ପୋଲିସ ଆପୋଷ ବୁଝାମଣା କରି ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି ।ଏଣେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଘଟଣା ନେଇ ଶିକ୍ଷକ ସଂଘ ଜରିଆରେ ସଂପୃକ୍ତ ପ୍ରଧାନଶିକ୍ଷକ ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କିରଛନ୍ତି।