ମିଳିଲା କଟାମୁଣ୍ଡ, ହଟିଲା ସସ୍‌ପେନ୍ସ

ମିଳିଲା ମୃତ ମହିଳାଙ୍କ ପରିଚୟ

ଭୁବନେଶ୍ୱର: କଟାମୁଣ୍ଡ ମିଳିଲା, ସସ୍‌ପେନ୍ସ ବି ହଟିଲା। ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ୮ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଉନ୍ମୋଚିତ ହୋଇଛି ଜଘନ୍ୟ ହତ୍ୟାର ରହସ୍ୟ। ବିବାହକୁ ନେଇ ବିବାଦରୁ ଭୁବନେଶ୍ୱର ଧିରିକୁଟି ବସ୍ତିର ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କର ହତ୍ୟାକାଣ୍ଡ ଘଟିଥିବା ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। କଟାମୁଣ୍ଡ ଜବତ ସହ ଏହି ବ୍ଳାଇଣ୍ଡ କେସରେ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବା ପୋଲିସ ପାଇଁ କେତେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା, ସେ କଥା ବି କହିଛନ୍ତି।

ବିବାହ-ବିବାଦ-ମର୍ଡର ଘଟଣାର ପୂରା ସାମ୍ନାକୁ ଆଣିଛି ପୋଲିସ। ଗଲା ୮ଦିନ ଧରି ରାଜଧାନୀରେ ଚହଳ ପକାଇଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରୁ ଉଠିଲା ସସପେନ୍ସ। ରାଜଧାନୀ ଉପକଣ୍ଠ ଦାସପୁର-ଅନ୍ଧାରୁଆ ରାସ୍ତାରୁ ଗତ ୪ତିରଖରେ ଯେଉଁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିଥିଲା, ସେ ହେଲେ ଭୁବନେଶ୍ୱର ଧିରିକୁଟି ବସ୍ତିର ପୁଷ୍ପଲତା ରାଉଳ, ବୟସ ୨୮ ବୋଲି ଜଣାପଡ଼ିଛି।

ତେବେ ତାଙ୍କୁ କାହିଁକି ଓ କିଏ ହତ୍ୟା କଲା, ସେ ରହସ୍ୟର ବି ହୋଇଛି ପର୍ଦ୍ଦାଫାସ୍। ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣାର ବିବରଣୀ ଦେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବିବାହକୁ ନେଇ ବିବାଦରୁ ହୋଇଛି ପୁଷ୍ପଲତାଙ୍କୁ ଜଘନ୍ୟ ହତ୍ୟା। ଆଉ ହତ୍ୟାକାରୀ, ପୁଷ୍ପଲତାଙ୍କ ସହ ୬ ବର୍ଷ ଧରି ସଂପର୍କ ରଖିଥିବା ଗଂଜାମ ହୁମ୍ମା ଅଞ୍ଚଳର ସଂଜୟ ଦାସ ବୋଲି ଜଣାପଡ଼ିଛି।

ତେବେ ହତ୍ୟା ପରେ ମୃତଦେହ ଫିଙ୍ଗିବା କାମରେ ସଂଜୟକୁ ସହଯୋଗ କରିଛି ତା ସାଙ୍ଗ ଚନ୍ଦୁ ଓରଫ ଶ୍ରୀକାନ୍ତ। ପୁଷ୍ପଲତାଙ୍କ ହତ୍ୟାକାଣ୍ଡରେ ଉଭୟେ ଧରାପଡ଼ିବା ପରେ, ତାଙ୍କୁ ନେଇ ଆଜି କ୍ରାଇମ୍ ସିନ୍ ରିକ୍ରେସନ କରାଇବା ସହ ମୃତଦେହ ମିଳିଥିବା ସ୍ଥଳଠାରୁ ୨ କିମି ଦୂର ଭରତପୁର-ଚନ୍ଦକା ଜଙ୍ଗଲ ପାଚେରୀ କଡ଼ ଏକ ଖାଲ ଭିତରୁ ଠାବ ହୋଇଥିଲା କଟାମୁଣ୍ଡ। ଯାହାକୁ ଫୋରେନ୍ସିକ ଟିମ୍ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

କେମିତି ହତ୍ୟାକାରୀଙ୍କ ପାଖରେ ପହଞ୍ଚିଲା ପୋଲିସ ? ବିସ୍ତୃତ ସୂଚନା ଦେଇ ସିପି କହିଛନ୍ତି କେବଳ କଟାମୁଣ୍ଡ ଠାବ ନୁହେଁ ମହିଳାଙ୍କ ପରିଚୟ ହାସଲ ବି ଥିଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ୪ରୁ ୮ତାରିଖ ଦୀର୍ଘ ୫ଦିନ ପୋଲିସ ଅନ୍ଧାରରେ ବାଡ଼ି ବୁଲାଇବା ସହ ମହିଳାଙ୍କ ପରିଚୟ ଜାଣିବାକୁ ପୋଷ୍ଟର ବି ଲଗାଇଥିଲା ଓ ସୂଚନାଦାତାଙ୍କ ଲାଗି ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ବି କରାଯାଇଥିଲା।

ତେବେ ୯ତାରିଖରେ ମିଳିଥିଲା ନିର୍ଦ୍ଦିଷ୍ଟ ସୁରାଗ। ଯାହା ଅନୁସାରେ ପୋଲିସ ଅପରାଧୀଙ୍କ ପାଖେ ପହଞ୍ଚିବାରେ ସମର୍ଥ ହୋଇଥିଲା ବୋଲି ସିପି କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ଡିସେମ୍ବର ୨୪ରେ ପ୍ରୀତିରଂଜନ ପତି ନାମକ ଜଣେ ଯୁବକଙ୍କୁ ଆମଫୋଇରେ ବାହା ହୋଇଥିଲେ ପୁଷ୍ପଲତା। ଆଉ ସେହି ସମୟର ଫଟୋ ବି ଦେଖାଇଛି ପୋଲିସ।

ତେବେ ଗତ ମାସେ ହେଲା ପୁଷ୍ପଲତା ପ୍ରୀତିରଞ୍ଜନଙ୍କୁ ଛାଡ଼ି ହତ୍ୟାକାରୀ ସଂଜୟ ସହ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ। ୨୦୧୫ରେ ମଞ୍ଚେଶ୍ୱରର ଧିରକୁଟ ବସ୍ତିରେ ପୁଷ୍ପଲତାଙ୍କ ଘରେ ବୋଲେରୋ ଡ୍ରାଇଭର ସଂଜୟ ଭଡ଼ାରେ ରହୁଥିଲାବେଳେ ପରସ୍ପରଙ୍କ ସଂପର୍କ ଗଢ଼ି ଉଠିଥିଲା ବୋଲି ଜଣାପଡିଛି। ତେବେ ପୁଷ୍ପଲତା ପ୍ରୀତିରଂଜନକୁ ବିବାହ କରିବା ଓ ପୁଣି ତାଙ୍କୁ ଛାଡ଼ି ସଂଜୟ ସହ ଆସି ରହିବାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

ଆଉ ଗତ ୩ ତାରିଖ ସଂଧ୍ୟା ପ୍ରାୟ ୫ଟା ବେଳେ ସଂଜୟ, ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ତାପରେ ସାଙ୍ଗ ଚନ୍ଦୁକୁ ଡାକି ହତ୍ୟା ପ୍ରମାଣ ନଷ୍ଟ ପାଇଁ ଷଡ଼ଯନ୍ତ୍ର ରଚିଥିଲା। ଆଇଗିଣିଆ ବଜାରକୁ ଯାଇ ସର୍ଜିକାଲ ଗ୍ଲୋବ୍ସ ସହ ଏକ ଛୁରୀ କିଣିଥିଲା। ଏହାପରେ ସହଯୋଗୀ ଚନ୍ଦୁ ସହ ରାତି ୧୨ଟାରେ ବୋଲେରୋରେ ଶବ ନେଇ ଦାସପୁରରେ ମୁଣ୍ଡକାଟି ଅଲଗା ଅଲଗା ସ୍ଥାନରେ ଫୋପାଡ଼ି ଦେଇ ଦଶପଲ୍ଲା ପଳାଇଥିଲେ ବୋଲି ଜଣାପଡିଛି।

ଏବେ ପୁଷ୍ପଲତାଙ୍କ ହତ୍ୟା ପ୍ରମାଣକୁ ବଳିଷ୍ଠ କରିବା ଲାଗି ମିଳିଥିବା ଗଣ୍ଡି-ମୁଣ୍ଡର ଡିଏନ୍ଏ ପ୍ରୋଫାଇଲିଂ କରିବ ପୋଲିସ। ତାସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ବି ଯୋଜନା ରଖିଛି।

ଭୁବନେଶ୍ୱରରୁ ଅତୂଲ୍ୟ ବାଉତଙ୍କ ସହ ଆଲୋକ ମହାନ୍ତିଙ୍କ ରିପୋର୍ଟ

 

You might also like