ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ମୃତଦେହ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ରାହ୍ମଣ ତରବୋଇ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଅଟୋଟିଏ ରାସ୍ତାରେ ଯାଉଥିବା ବେଳେ ହଠାତ୍ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହୋଇଯାଇଥିଲା। ଏହା ଦେଖି ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ଅଟୋରେ ତିନି ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ଜଣେ ଦୌଡ଼ି ପଳାଇଥିଲେ। ଡ୍ରାଇଭର ପଳାଉଥିବା ବେଳେ ଲୋକେ ତାକୁ ଧରିଥିଲେ ଓ ପୁଲିସ୍ ଜିମା ଦେଇଥିଲେ। ତୃତୀୟ ବ୍ୟକ୍ତିଙ୍କ ମୃତଦେହକୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜବତ କରାଯାଇଥିଲା।

ମୃତ ବ୍ୟକ୍ତିଙ୍କ ନାଁ ଦିଜ ସେନାପତି (୪୫)। ତାଙ୍କ ଘର ସତ୍ୟବାଦୀ ବ୍ଲକ୍ ଉତ୍ତରାଖଣ୍ଡ ଗାଁରେ। ଏହି ଘଟଣାରେ ପୁଲିସ୍‌ ଜଣକୁ ଅଟକ ରଖିଛି। ଏମାନେ ଦୁହେଁ ସଂପର୍କୀୟ ଭାଇ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ଯୋଗୁ ଦିଜଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା ନା ତାଙ୍କୁ ହତ୍ୟା କରାଯାଇ ଅଟୋରେ ଅଣାଯାଉଥିଲା, ତାହା ଏବେ ସନ୍ଦେହ ଘେରରେ।

ଅନ୍ୟପଟେ, ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନ୍‌ଭିନ୍ କରୁଛି।

You might also like