ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କୁ ମୁଣ୍ଡକାଟି ହତ୍ୟା ମାମଲାର ଖୋଳତାଡ଼ ଜାରି ରହିଛି। ଏହି ଘଟଣାରେ ମୃତ ମହିଳା ପୁଷ୍ପଲତାଙ୍କ ସ୍କୁଟି ମିଳିଛି। ମୃତ ପୁଷ୍ପଲତାଙ୍କ ସ୍କୁଟି କମିଶନରେଟ୍ ପୋଲିସ କନ୍ଧମାଳ କଳିଙ୍ଗାରୁ ଜବତ କରିଛି। ଏହି ସ୍କୁଟି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସହଯୋଗୀ ଦ୍ୱାରା କଳିଙ୍ଗାରେ ଲୁଚାଇ ରଖିଥିଲା। ପୋଲିସର ଜେରା ବେଳେ ସ୍କୁଟି ବାବଦରେ ସେ ସୂଚନା ଦେଇଥିଲା।

ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ କିଛି ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ବିବାଦରୁ ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିଲା।

ରିମାଣ୍ଡରେ ଥିବା ୨ ଅଭିଯୁକ୍ତ ସଞ୍ଜୟ ଓ ତାଙ୍କର ସହଯୋଗୀ ଚନ୍ଦୁଙ୍କୁ ପୋଲିସ୍‌ ଗତକାଲି  ନେଇ ପୁଣି ସିନ୍ ରିକ୍ରିଏଟ୍ କରିଛି। ପ୍ରଥମେ ପାତ୍ରପଡ଼ାର ଫୁଲେଶ୍ୱରୀ ବସ୍ତି ଓ ପରେ ଅନ୍ଧାରୁଆ-ଦାସପୁରକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଥିଲା।

କେମିତି ହତ୍ୟା କରିଥିଲେ ପୁଷ୍ପଲତାଙ୍କୁ ? ପ୍ରମାଣ ନଷ୍ଟ ପାଇଁ କିଭଳି ରଚିଥିଲେ ଷଡ଼ଯନ୍ତ୍ର ? ସେସବୁର ଡେମୋ ଦେଖାଇଥିଲେ ସଞ୍ଜୟ ଓ ଚନ୍ଦୁ। ପୁଷ୍ପଲତାଙ୍କୁ ଶ୍ୱାସରୁଦ୍ଧ କରିବା ପାଇଁ ଯେଉଁ କଳା ଓଢ଼ଣୀ ବ୍ୟବହାର କରିଥିଲେ ଦୁଇ ଅଭିଯୁକ୍ତ, ତାକୁ ପୋଲିସ୍‌ ଜବତ କରିଛି। ଏହି ଓଢ଼ଣୀ ସଞ୍ଜୟ ରହୁଥିବା ଫୁଲେଶ୍ୱରୀ ବସ୍ତି ଘରୁ ମିଳିଛି। ଏଥିସହ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମଦ ବୋତଲ ମଧ୍ୟ ମିଳିଛି। ଯେଉଁଥିରେ ଅଭିଯୁକ୍ତର ଫିଙ୍ଗର ପ୍ରିଣ୍ଟ ରହିଥିବା ପୋଲିସ ଅନୁମାନ କରୁଛି। ଏହି ମଦ ବୋତଲରେ କିଛି ସୁରାଗ୍ ଥିବା ସନ୍ଦେହ କରି ପୋଲିସ ଏହାକୁ ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି।

ସେପଟେ ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ମୃତ ପୁଷ୍ପଲତାଙ୍କ ମା’ ମିନତି ବାରିକ କହିଛନ୍ତି। ସେ କହିଛନ୍ତି, ‘ଅଭିଯୁକ୍ତ ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା।’ 

You might also like