ଜମାକାରୀଙ୍କ ଟଙ୍କା ଫେରାଅ: ହାଇକୋର୍ଟ

କଟକ: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ୮ ସପ୍ତାହ ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରିଜର୍ଭ ବ୍ୟାଙ୍କ ଏହାର ଲାଇସେନ୍ସ ରଦ୍ଦ କରିଥିଲେ କିନ୍ତୁ ଜମାକାରୀମାନେ ନିଜ ନିଜ ଟଙ୍କା ପାଇନଥିଲେ ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇଥିବା ବାରିପଦା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିଥିଲା। ଫଳରେ ୨୦୧୪ ଅକ୍ଟୋବର ୧ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ଲାଇସେନ୍ସକୁ ରଦ୍ଦ କରି ଦେଇଥିଲେ। ଆର୍‌ବିଆଇଙ୍କ ଏପରି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌ କରାଯାଇଥିଲା। ୨୦୧୮ ଏପ୍ରିଲ ୨୪ ତାରିଖରେ ଏହି ମାମଲାକୁ ଖାରଜ କରିଥିଲେ କୋର୍ଟ। ତା’ପରେ ମାମଲାକୁ ବିଚାର କରିବା ପାଇଁ ଓଡ଼ିଶା ହାଇକୋର୍ଟକୁ ପଠାଇ ଦେଇଥିଲେ ସୁପ୍ରିମକୋର୍ଟ।

ପରବର୍ତ୍ତୀ ସମୟରେ ବ୍ୟାଙ୍କ ଚାଲୁ କରିବା ପାଇଁ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାରି ଭିତରେ ଓଡ଼ିଶା ସରକାର ବ୍ୟାଙ୍କ ପାଇଁ ଲିକ୍ୟୁଡେଟର ନିଯୁକ୍ତ ଦେଇଥିଲେ। ତେବେ ଏହି ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଏବେ ଏହି ମାମଲା ବିଚାରାଧୀନ ରହିଛି।

ତେବେ ଅନ୍ତରୀଣ ନିର୍ଦ୍ଦେଶ ଭାବେ ଗତ ଜୁନ ୨୫ ତାରିଖରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ କହିଥିଲେ। ଜଣକିଆ ଖଣ୍ଡପୀଠଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆର୍‌ବିଆଇ ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ୍‌ କରାଯାଇଥିଲା। ମାମଲାର ପାରମ୍ଭିକ ଶୁଣାଣି କରି ଡିଭିଜନ୍‌ ବେଞ୍ଚ ଜମାଟଙ୍କା ଫେରସ୍ତ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ଆଜି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅନ୍ତରୀଣ ରହିତା ଦେଶକୁ ହଟାଇବା ସହିତ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ଦେବାକୁ ହାଇକୋର୍ଟ କହିଛନ୍ତି। ଜମାକାରୀଙ୍କୁ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଟଙ୍କା ଫେରସ୍ତ କରାଯିବ। ଅନ୍ୟପଟେ ଲାଇସେନ୍ସ ରଦ୍ଦ ଓ ଲିକ୍ୟୁଡେସନ୍‌ ପ୍ରକ୍ରିୟାକୁ ନେଇ ଦାୟର ମାମଲା ଜଣିକିଆ ଖଣ୍ଡପୀଠରେ ଏବେ ମଧ୍ୟ ବିଚାରାଧୀନ ରହିଛି। ତେଣୁ ଏପରି ସ୍ଥିତିରେ ବ୍ୟାଙ୍କ ଜମାକାରୀ କେମିତି ଟଙ୍କା ପାଇବେ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

You might also like