ଘରୋଇ ସ୍କୁଲ ଫି ଛାଡ଼ ମାମଲା; ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ଼ ସଂପର୍କିତ ମାମଲାରେ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ସ୍କୁଲ ଫି ଛାଡ଼ ସଂପର୍କିତ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଗତ କିଛି ଇଣ୍ଟରଭେନ୍ସନ୍ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ଏହି ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୭ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସୂଚନାଥାଉ କି,  ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଫି କମାଇବା ନେଇ ସୁପାରିଶ କରାଯାଇଥିଲା ।

ଏହି ରିପୋର୍ଟ ଅନୁଯାୟୀ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯିବନି।  ତେବେ ୬ରୁ ୧୨ ହଜାର ଟଙ୍କା ଯାଏଁ ଫି ନେଉଥିଲେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏଁ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏଁ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏଁ ଫିରେ ୨୦ ପ୍ରତିଶତ ଛାଡ କରାଯିବାକୁ ସୁପାରିଶ ହୋଇଛି ।

ସେହିପରି ୭୨ରୁ ୧ ଲକ୍ଷ ଟଙ୍କା ଫିରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ ହ୍ରାସ କରିବାକୁ ସୁପାରିଶ କରାଯାଇଛି । ରେସିଡେନ୍ସିଆଲ ସ୍କୁଲ ଗୁଡିକର ଫି ୩୦ପ୍ରତିଶତ ହ୍ରାସ ପାଇଁ କମିଟି ସୁପାରିଶ କରିଛି।

 

You might also like