ହକି ବିଶ୍ୱକପ୍ କଭରେଜ୍ ନେଇ OTV ସପକ୍ଷରେ ହାଇକୋର୍ଟଙ୍କ ରାୟ

ଖବର ସଂଗ୍ରହ ପାଇଁ OTV ପ୍ରତିନିଧିକୁ ଷ୍ଟାଡିୟମ ଛାଡ଼ିବାକୁ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : କ୍ରୀଡ଼ା ବିଭାଗର ଅହଂକାର ଓ ହକି ଇଣ୍ଡିଆର ସ୍ୱେଚ୍ଛାଚାରିତାକୁ ହାଇକୋର୍ଟଙ୍କ ଚାପୁଡ଼ା। ହକି ବିଶ୍ୱକପ୍ ସମ୍ପର୍କିତ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲାରେ FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ଝଟ୍‌କା।

ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ଓଟିଭି ପ୍ରତିନିଧି ନିରଞ୍ଜନ ରେଡ୍ଡୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏମିତିକି ନିରଞ୍ଜନ ରେଡ୍ଡୀଙ୍କୁ ନଭେମ୍ବର ୭ ତାରିଖରେ ମିଳିଥିବା ଆକ୍ରିଡିଟେସନକୁ କାଏମ ରଖିବା ସହ କୋର୍ଟ ଶୁଣାଣି ଏଇଠି ଶେଷ କରିଥିବା ନେଇ ସୂଚନା ଦେଇଛନ୍ତି ଓଟିଭି ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ଶୌର୍ଯ୍ୟସୁନ୍ଦର ଦାସ।

ନଭେମ୍ବର ୨୬ରେ ଓଟିଭି ପ୍ରତିନିଧିଙ୍କ ନିକଟକୁ ହକି ଇଣ୍ଡିଆ ମିଡିଆ ଟିମ୍ ପକ୍ଷରୁ ଆସିଥିଲା ଇ-ମେଲ୍। ଯେଉଁଥିରେ ଦର୍ଶାଯାଇଥିଲା, କାହିଁକି କଟାଗଲା ଓଟିଭି ସ୍ପୋଟର୍ସ ରିପୋର୍ଟରଙ୍କ ଆକ୍ରିଡିଟେସନ୍। ଏଥିରେ ଲେଖାଯାଇଥିଲା କି-ଓଡ଼ିଶା ହକି ଓ୍ୱାର୍ଲଡ କପ୍ ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମଙ୍କ ଲାଗି ନଭେମ୍ବର ୭ରେ ପ୍ରାରମ୍ଭିକ କଟ୍ ଅଫ୍ ଲିଷ୍ଟରେ ଓଟିଭି ପ୍ରତିନିଧିଙ୍କୁ ଅନୁମତି ମିଳିଥିଲା। ହେଲେ ଅଧିକ ସଂଖ୍ୟକ ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ଯୋଗୁଁ ଓଟିଭି ପ୍ରତିନିଧିଙ୍କ ଆକ୍ରିଡିଟେକସନ ରଦ୍ଦ କରାଗଲା।

ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା OTV। ଖାଲି ସେତିକି ନୁହେଁ ଆକ୍ରିଡିଟେକସନ ରଦ୍ଦ ହେବାର ୬ଦିନ ପୂର୍ବରୁ ଏକ ପ୍ରେସ୍‌ମିଟରେ OTV ପ୍ରତିନିଧି ନିରଞ୍ଜନ ରେଡ୍ଡୀଙ୍କୁ ଦୁର୍ବ୍ୟବହାର କରିଥିଲେ କ୍ରୀଡ଼ା ସଚିବ ବିଶାଳ ଦେବ। ଏମିତିକି ସେ ଓଟିଭି ବୁମ୍ ଠେଲି ଦେବା ସହ ତାଙ୍କୁ ରୁମ୍‌ରୁ ବାହାରିଯିବାକୁ କହିଥିଲେ କ୍ରୀଡ଼ା ସଚିବ।

ଯାହାକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଉ ଆଜି କୋର୍ଟଙ୍କ ଓଟିଭି ସପକ୍ଷରେ ନିର୍ଦ୍ଦେଶ ପରେ ଏହା ଉଭୟ ଗଣତନ୍ତ୍ର ଓ ଗଣମାଧ୍ୟମର ବିଜୟ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ।

You might also like