କେବେ ଇଡ୍ଲିରେ ମଞ୍ଚୁରିଆନ୍ ଖାଇଛନ୍ତି କି?
ଭେଜ୍ ମଞ୍ଚୁରିଆନ୍, କୋବି ମଞ୍ଚୁରିଆନ୍ ତ ଆମେ ସବୁବେଳେ ଖାଇଥାଉ। କିନ୍ତୁ କେବେ ଇଡ୍ଲିରେ ମଞ୍ଚୁରିଆନ୍ ଖାଇଛନ୍ତି କି?
ସାଧାରଣତଃ ଇଡ୍ଲି ସହ ଆମେ କିଛି ତରକାରୀ ଖାଇଥାଉ। ନ ହେଲେ ଏହା ଖାଇବାକୁ ଭଲ ଲାଗିନଥାଏ। ଯଦି ଆପଣ ଘରେ ଇଡ୍ଲି ପ୍ରସ୍ତୁତ କରିଛନ୍ତି ଓ ଖାଇସାରିବା ପରେ କିଛି ବଳି ପଡ଼ିଛି ତା ହେଲେ ସେଥିରେ ଇଡ୍ଲିର ଏକ ନୂଆ ଆଇଟମ୍ ଇଡ୍ଲି ମଞ୍ଚୁରିଆନ୍ ପ୍ରସ୍ତୁତ କରନ୍ତୁ। ଜାଣନ୍ତୁ ଇଡ୍ଲି ମଞ୍ଚୁରିଆନ୍ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି ପ୍ରଣାଳୀ।
ଆବଶ୍ୟକୀୟ ସାମଗ୍ରୀ
ଇଡ୍ଲି, ପିଆଜ, କ୍ୟାପ୍ସିକମ୍, ବନ୍ଧା କୋବି, ପିଆଜ ଶଣ୍ଢା, ତେଲ, ଗୋଲମରିଚ ଗୁଣ୍ଡ, ଛୋଟ ଛୋଟ କଟା ହୋଇଥିବା ଅଦା ରସୁଣ, ଲୁଣ, ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଇଡ୍ଲିକୁ ଚାରିଫାଳ କରି କାଟି ଦିଅନ୍ତୁ। ତା’ପରେ ଗ୍ୟାସ୍ରେ ଏକ ପ୍ୟାନ୍ ବସାଇ ଅଳ୍ପ ତେଲ ପକାଇ ଇଡ୍ଲିକୁ କିଛି ସମୟ ଭାଜି ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହା ପରେ ସେଥିରେ କଟା ହୋଇଥିବା ଅଦା, ରସୁଣ ପକାଇ ଅଳ୍ପ ଭାଜନ୍ତୁ। ତା’ ପରେ ସେଥିରେ ମଞ୍ଚୁରିଆନ୍ରେ କଟା ହେବା ଭଳି ପିଆଜ ଓ କ୍ୟାପ୍ସିକମ୍ କାଟି ପକାଇ ଭାଜନ୍ତୁ।
ଅଳ୍ପ ଭାଜି ସାରିଲା ପରେ ସେଥିରେ କଟା ବନ୍ଧା କୋବି ପକାନ୍ତୁ। ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍ ,ଲୁଣ ଗୋଲମରିଚ ଗୁଣ୍ଡ ପକାନ୍ତୁ। ମଞ୍ଚୁରିଆନ୍ ଟିକେ ଗ୍ରେଭି ହେବା ପାଇଁ ଏକ ଚାମଚ୍ କର୍ଣ୍ଣ ଫ୍ଲୋର୍ରେ ଅଳ୍ପ ପାଣି ମିଶାଇ ସେଥିରେ ଦିଅନ୍ତୁ। ଏହା ପରେ ଭଲରେ ଏହି ଗ୍ରେଭିକୁ ମିଶାନ୍ତୁ। ଏହା ପରେ ସେଥିରେ ଭଜା ହୋଇଥିବା ଇଡ୍ଲି ପକାଇ ଗ୍ରେଭିରେ ଭଲ ଭାବରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଇଡ୍ଲି ମଞ୍ଚୁରିଆନ୍। ଏଥିରେ କିଛି ପିଆଜ ଶଣ୍ଢା ପକାଇ ପରଷନ୍ତୁ। ଏହାକୁ ଆପଣ ଷ୍ଟାଟରରେ ଖାଇ ପାରିବେ।