୨୮ ବର୍ଷ ହେଲାଣି ସରିପାରୁନାହିଁ ପ୍ରକଳ୍ପ?

ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ।

କେନ୍ଦୁଝର:  ଅଧପନ୍ତରିଆ ଭାବେ ପଡ଼ି ରହିଛି ମୟୁରଭଞ୍ଜ ହାତିବାରୀରେ ନିର୍ମାଣ ହେଉଥିବା ଦେଓ ଜଳ ପ୍ରକଳ୍ପ। ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟା ଯୋଗୁଁ ଦୀର୍ଘ ବର୍ଷ ହେଲା ପ୍ରକଳ୍ପ ଆଗକୁ ବଢ଼ି ପାରୁନି। ୫୨ କୋଟି ଟଙ୍କାର ବ୍ୟୟ ଅଟକଳ ଏବେ ୯୦୦ କୋଟି ଟଙ୍କା ହୋଇଗଲାଣି। ହେଲେ ପ୍ରକଳ୍ପ ହୋଇପାରୁନି କି ଲୋକେ ଜଳସେଚନ ଓ ପାନୀୟ ଜଳ ଯୋଗାଣର ସୁବିଧା ପାଇପାରୁନାହାନ୍ତି।

୧୯୯୨ରୁ ୨୦୨୦,ପାଖାପାଖି ୨୮ ବର୍ଷ ବିତି ଗଲାଣି। ପ୍ରକଳ୍ପର ମୂଲ୍ୟ ୫୨ କୋଟି ଟଙ୍କାରୁ ବଢ଼ି ୯୦୦ କୋଟି ଟଙ୍କା ହୋଇଗଲାଣି। ହେଲେ ମୟୂରଭଞ୍ଜ କରଞ୍ଜିଆ ହାତିବାରୀର ଦେଓ ଜଳପ୍ରପାତ ଅଧା ତିଆରି ହୋଇ ରହିଛି। ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ବିସ୍ଥାପନ ସମସ୍ୟା ଦୂର ହୋଇପାରୁନି। ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ଗାଁ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ନଥିବାବେଳେ ଥଇଥାନର ବ୍ୟବସ୍ଥା ହେଉନଥିବାରୁ, ବିରୋଧ ଜାରି ରହିଛି।

ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଟଙ୍କା ଓ ୨୦ ଡିସିମିଲ ଜାଗା ଦେବା କଥା ହେଲେ ୫ ଡିସିମିଲ୍ ଜାଗା ଦିଆଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସରକାର କୌଣସି ଟଙ୍କା ନ ଦେଇ ଚାଷ ଜମି ଓ ଘର ଡିହ ଯୋଗାଇ ଦେଲେ ବି ଲୋକେ ବିସ୍ଥାପନ ହୋଇଯାନ୍ତେ ବୋଲି କହିଛନ୍ତି।

ମୟୁରଭଞ୍ଜ ହାତିବାରୀ
ଅଧପନ୍ତରିଆ ପଡ଼ି ରହିଛି ଦେଓ ଜଳ ପ୍ରକଳ୍ପ
ଜମି ଅଧିଗ୍ରହଣ, ବିସ୍ଥାପନ ସମସ୍ୟା ଯୋଗୁଁ ହେଇ ପାରୁନି କାମ
୫୨ କୋଟିର ପ୍ରକଳ୍ପ ଏବେ ୯୦୦ କୋଟି ଟଙ୍କାରେ ପହଞ୍ଚିଛି
ଲୋକଙ୍କ ଜଳସେଚନ ଓ ପାନୀୟ ଜଳ ସମସ୍ୟା ସୁଧୁରିବ କେବେ ?

ବର୍ଷକୁ ବର୍ଷ ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ଚାଲିଛି। ପ୍ରାଶାସନିକ ଅଧିକାରୀ ବଦଳି ଯାଉଛନ୍ତି। ହେଲେ ବିସ୍ଥାପନ ସମସ୍ୟାର ସମାଧାନ ପରିବର୍ତ୍ତେ ସ୍ଥାନୀୟ ଅଧିକାରୀ ଜୁଲମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

”୨୦ ଡେସିମିଲ ଜାଗା ଦେବା କଥା କିନ୍ତୁ ଆମକୁ ୫ ଡିସିମିଲ ଜାଗା ଦେଉଛନ୍ତି। ଆମେ ଏତେ କମ ଜାଗା ନେଇ କି କରିବୁ କଣ? ଏହାସହ କେବଳ ଘର ତ ୫ ଡିସିମିଲ ଜାଗାରେ ହୋଇଯିବ। ବାଡି କି ବଗିଚା ଲାଗି ଆମେ ଜାଗା କେଉଁଠୁ ଆଣିବୁ? ଲୋକଙ୍କ ପ୍ରାପ୍ୟ କାହିଁକି ଦେଉନାହିଁ ପ୍ରଶାସନ” ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସରପଞ୍ଚ।

ସେତେବେଳେ ପ୍ରକଳ୍ପର କ୍ରିୟାନ୍ୱୟନ କରାଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ହେମ୍ବ୍ରମଙ୍କ ବୋହୂ ବାସନ୍ତୀ ହେମ୍ବ୍ରମ ଏବେ ବିଧାୟକ। ଏଣୁ ୨୦୨୧ ସୁଦ୍ଧା ପ୍ରକଳ୍ପ ସାରିବା ଲାଗି ତତ୍ପରତା ଦେଖାଇବା ସହ ପୁଣିଥରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି।

”ଏହି ପ୍ରକଳ୍ପ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଏହାର କାମ କେମିତି ଶେଷ ହେବ ସେନେଇ ମୁଁ ଦୃଷ୍ଟି ଦେଉଛି। କରଞ୍ଜିଆବାସୀ ଏହାର ପାଣିକୁ ନିଶ୍ଚିତ ବ୍ୟବହାର କରିବେ” ବୋଲି କହିଛନ୍ତି ସ୍ଥାନୀୟ ବିଧାୟିକା।

 ସେପଟେ ସମସ୍ତେ ସହଯୋଗ କଲେ ପ୍ରକଳ୍ପ ଶେଷ ହୋଇଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଏହି ପ୍ରକଳ୍ପ ଶେଷ ହେଉଛି ଆଉ କେବେ ଲୋକମାନେ ପାଣି ପାଉଛନ୍ତି।

 

You might also like