ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ?

କଟକ:  ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ? ରାଜ୍ୟର ପ୍ରମୁଖ ବ୍ୟାବସାୟିକ ସ୍ଥଳରେ ବଢୁଛି କି ଅପମିଶ୍ରଣ କାରବାର? ଦୁଇ ଦିନ ଧରି କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଜବତ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତି ମାସରେ କଟକ ଓ ଆଖପାଖ ଅଞ୍ଚଳରୁ ଏଭଳି ଅପମିଶ୍ରଣ କାରବାର ସାମ୍ନାକୁ ଆସୁଛି।

ପୋଲିସ ରେଡ୍ କରି ବିପୁଳ ପରିମାଣର ନକଲି ଖାଦ୍ୟ ସାମଗ୍ରୀ ଓ ଏହାକୁ ପ୍ରସ୍ତୁତ କରୁଥିବା ବେଆଇନ କାରଖାନା ଓ ୟୁନିଟ୍‌କୁ ଠାବ କରି ସିଲ୍ କରୁଛି। ସେପଟେ କିନ୍ତୁ ଝାଳବୁହା ଟଙ୍କା ଦେଇ ଖାଦ୍ୟ ସାମଗ୍ରୀ ନାଁରେ ଦୋକାନରୁ ମାରାତ୍ମକ ରୋଗ ସୃଷ୍ଟିକାରୀ ରାସାୟନିକ ଦ୍ରବ୍ୟ କିଣୁଛନ୍ତି ଖାଉଟି। ଭେଜାଲ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାର ରସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି ବ୍ୟବସାୟୀ। ଆଉ ସାଧାରଣ ଗ୍ରାହକ ଅଜାଣତରେ ଏଭଳି ସାମଗ୍ରୀ କିଣି ରୋଗକୁ ଡାକି ଆଣୁଛନ୍ତି।

କମିଶନରେଟ୍ ପୋଲିସ ଓ କଟକ ମହାନଗର ନିଗମ ହେଲ୍ଥ ଟିମ୍ ଗତ ଦୁଇ ଦିନରେ କଟକ ମାଲଗୋଦାମ ଅଞ୍ଚଳର ୩ଟି ଗୋଦାମ ଓ ଦୋକାନରେ ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଖାଦ୍ୟ ସାମଗ୍ରୀ ଜବତ କରିଛି। ଏଥିସହ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ସେପଟେ ମାଲଗୋଦାମରେ ଏଭଳି ନକଲି କାରବାର କିଭଳି ରୋକିହେବ ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛି ମାଲଗୋଦାମ ବ୍ୟବସାୟୀ ସଂଘ।

କେବଳ ମାଲଗୋଦାମ ନୁହଁ କଟକ ଆଖପାଖ ଅଞ୍ଚଳରେ ମଧ୍ୟ ଏଭଳି ନକଲି କାରବାର ଧରିଥିଲା ପୋଲିସ। ଗତ ସେପ୍ଟେମ୍ବେର ୨୬ ତାରିଖରେ ଜଗତପୁରରେ ଚାଲିଥିବା ଡୁପ୍ଲିକେଟ୍ ଟମାଟୋ ଓ ଚିଲି ସସ୍ ଫ୍ୟାକ୍ଟ୍ରି ଉପରେ ରେଡ୍ କରି ପୋଲିସ୍ ବିପୁଳ ପରିମାଣର ନକଲି ସସ୍ ଓ ଏସବୁ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଥିଲା।

୨୦୧୯ରେ ଟ୍ରକ୍ ଟର୍ମିନାଲ୍ ନିକଟରେ ଏବଂ ୨୦୧୮ରେ ଖାନନଗର ନୂଆସାହିରେ କାରଖାନା ଠାବ ହେବା ସହ ବିପୁଳ ପରିମାଣର ନକଲି ଖାଇବା ତେଲ ଜବତ ହୋଇଥିଲା। ସେହିବର୍ଷ ପ୍ରଫେସରପଡ଼ାରେ ଠାବ ହୋଇଥିଲା ନକଲି ଘିଅ କାରଖାନା।

ସେହିପରି ରାଣୀହାଟ କେନାଲ ରୋଡ୍ ଅଞ୍ଚଳରେ ଠାବ ହୋଇଥିଲା ନକଲି ମହୁ କାରଖାନା। ତାସହିତ ଏଠାରୁ ନକଲି ଗୋଲାପ ଜଳ, ଅଗୁର ଏବଂ ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ବି ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like