ବିମାନ ଚଳାଚଳ ପରେ ହୋଟେଲ ଖୋଲିବାକୁ ହାରୋର ନିବେଦନ
ଭୁବନେଶ୍ୱର: ଭୁବନେଶ୍ୱରକୁ ଆଜିଠୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପରେ ହୋଟେଲ ଖୋଲିବା ନେଇ ଉଠିଲା ଦାବି। ଭୁବନେଶ୍ୱରରେ ହୋଟେଲ ବୁକିଂ ପାଇଁ ଗ୍ରାହକଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଥିବାରୁ ଏ ନେଇ ବିଏମସି କମିଶନରଙ୍କୁ ଚିଠି ଲେଖିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ)।
ଆଜି ଭୁବନେଶ୍ୱରକୁ ଗୋଟିଏ ବିମାନ ସେବା ଆରମ୍ଭ କରିଥିବା ଏବଂ ଆଗାମୀ ଦିନରେ ଆଉ ଦୁଇଟି କମ୍ପାନୀ ପକ୍ଷରୁ ବିମାନ ସେବା ଆରମ୍ଭ ହେବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏପଟେ ହୋଟେଲ ରିଜର୍ଭେସନ୍ ପାଇଁ ଗ୍ରାହକଙ୍କ ପକ୍ଷରୁ ଫୋନ୍ କଲ୍ ଆସୁଥିବା ହାରୋ ଚିଠିରେ ଦର୍ଶାଇଛି।
ତେଣୁ ହୋଟେଲଗୁଡ଼ିକ ଖୋଲିବା ଏବଂ ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଅନୁମତି ଦେବାକୁ ହାରୋ ପକ୍ଷରୁ ବିଏମସି କମିଶନରଙ୍କୁ ଚିଠି ମାଧ୍ୟମରେ ନିବେଦନ କରାଯାଇଛି। ମାର୍ଚ୍ଚ ୨୫ ଠାରୁ ରାଜ୍ୟ ଓ ପରେ ସାରା ଦେଶରେ ଲକଡାଉନ ଜାରି ହୋଇଥିବାରୁ ହୋଟେଲ ଗୁଡିକ ବନ୍ଦ ରହିଥିଲା। ଏପରିକି ବହୁ ଦିନ ଧରି ହୋଟେଲ ବନ୍ଦ ପଡ଼ିଥିବାରୁ ମାଲିକମାନେ ବହୁମାତ୍ରାରେ କ୍ଷତି ସହୁଛନ୍ତି।