ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା

ନିଶ୍ଚିନ୍ତକୋଇଲି  : ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା। ନକଲି ସାକ୍ଷୀ ପକାଇ ଟଙ୍କା ହଡ଼ପ କରାଯାଉଛି।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରୁ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ବର୍ଷେ ତଳେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଗୋପପୁର ଗାଁର ଖଗେଶ୍ୱର ସାହୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। କାଗଜପତ୍ରରେ ଲେଖା ଅଛି, ସେହି ଦିନ ହିଁ ୨ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ଖଗେଶ୍ୱର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଉଠାଇଛନ୍ତି। ସେହିପରି ବଡ଼କ୍ଷୀରି ଗାଁର ସୁବାସ ଚନ୍ଦ୍ର ପାତ୍ର ଓ ଜୟନ୍ତୀ ମଳିକଙ୍କ ନାଁରେ ମଧ୍ୟ ୨ ହଜାର ଟଙ୍କା ଲେଖାଏଁ ଟଙ୍କା ଉଠାଯାଇଥିବା ରିପୋର୍ଟ କହୁଛି।

ସରପଞ୍ଚଙ୍କ ନାଁରେ ଏହି ଗୁରୁତର ଅଭିଯୋଗ ଅାସିବା ପରେ ବଡ଼କ୍ଷୀରି ପଞ୍ଚାୟତର ନାଏବ ସରପଞ୍ଚ ସୂଚନା ଅଧିକାର ଅାଇନରେ ତଥ୍ୟ ମାଗିଥିଲେ। ପଞ୍ଚାୟତର ୪୧ ଜଣ ହିତାଧିକାରୀଙ୍କୁ ୮୨ ହଜାର ଟଙ୍କା ମଞ୍ଜୁର ହୋଇଥିବା ରିପୋର୍ଟରୁ ଜଣାପଡିଛି। ଅାଶ୍ଚର୍ଯ୍ୟର କଥା, ଅନେକ ହିତାଧିକାରୀ ଟଙ୍କା ପାଇ ନାହାନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ୍‌ର ବିଡିଓ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଛନ୍ତି।

କୌଣସି ବ୍ୟକ୍ତିର ମୃତ୍ୟୁ ପରେ ସତ୍କାର ପାଇଁ ପରିବାର ଲୋକଙ୍କୁ ସହାୟତା ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି। ହେଲେ ଏଠି ବି ଦୁର୍ନୀତି। ମୃତ ବ୍ୟକ୍ତିର ପ୍ରାପ୍ୟକୁ ହଡ଼ପ କରି ନେଉଛନ୍ତି ଦଲାଲ।

You might also like
Comments
Loading...