ଆଜି ପବିତ୍ର ରାମନବମୀ : ଶ୍ରୀରାମଙ୍କ ଜନ୍ମୋତ୍ସବ ଲାଗି ଚଳଚଳଞ୍ଚଳ ଦେବାଳୟ

  • ଶ୍ରୀରାମଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
  • ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଏକାଠି ନହେବାକୁ ଜାରି ହୋଇଛି କଟକଣା
  • ସେପଟେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକାକଳା

ଭୁବନେଶ୍ୱର : ଆଜି ଚୈତ୍ର ମାସ ଶୁକ୍ଲ ନବମୀ । ଆଜିର ଦିନକୁ ସବୁଠି ରାମ ନବମୀ ଭାବେ ପାଳନ କରାଯାଏ । ଏହି ଦିନରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଦିନକୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ । ରାମ ନବମୀ ଉପଲକ୍ଷେ ୯ ଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ କରାଯାଏ । ବିଶେଷ ଭାବେ ରାମଚରିତ ମାନସ ପାଠ କରାଯାଯାଇଥାଏ । ହେଲେ କରୋନା ପାଇଁ ଏଥର ଫିକା ଫିକା ପଡିବ ରାମ ନବମୀ । ଲୋକେ ଗୋଟିଏ ସ୍ଥାନରେ ଏକାଠି ହେବା ପାଇଁ ବାରଣ ହୋଇଥିବାରୁ ଯାହା କେବଳ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯିବ ।

ସେପଟେ ରାମ ନବମୀ ଉପଲକ୍ଷେ ପୁୁରୀ ବେଳାଭୂମୀରେ ବିରାଟ ବାଲୁକା କଳା କରାଯାଇଛି । ୨୦ ଫୁଟ୍ ଲମ୍ବ ଏହି ବାଲୁକା କଳାକୁ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରଭୁ ରାମଙ୍କର ପ୍ରତିକୃତି ମଧ୍ୟ ରହିଛି । ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇବା ସହ କରୋନା ଭଳି ମହାମାରୀରୁ ବର୍ତ୍ତିବା ପାଇଁ ବାର୍ତ୍ତା ଦିଆଯାଇଛି । ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ବାର୍ତ୍ତା ରହିଛି । ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାର ଶୀର୍ଷକ ରହିଛି USE MASK AND STAY SAFE

ଅନ୍ୟପଟେ ଆଜି ପବିତ୍ର ରାମ ନବମୀ ଅବସରରେ ଶ୍ରଦ୍ଧାଳୁଙ୍କ ଘରେ ରହି ପୂଜାର୍ଚ୍ଚନା କରିବାକୁ ନିବେଦନ କରିଛନ୍ତି ଅଯୋଧ୍ୟା ହନୁମାନଗଡ଼ିର ମହନ୍ତ । କରୋନା ମହାମାରୀ ସଂକ୍ରମଣ ସ୍ଥିତିକୁ ଦେଖି ହନୁମାନଗଡ଼ି ପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ହନୁମାନଗଡ଼ି ପରିସରରେ ସମସ୍ତ ରୀତିନୀତି ଅନୁସାରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ତେବେ ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି । ସରକାର ଲାଗୁ କରିଥିବା କୋଭିଡ୍ କଟକଣାକୁ ମାନି ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଏହି ସମୟରେ ବ୍ରତ ଓ ଉପବାସ କରୁଥିବା ଶ୍ରଦ୍ଧାଳୁ ଘରେ ରହି ଏହି ସବୁକିଛି କରିବାକୁ ନିବେଦନ କରିଛନ୍ତି ହନୁମାନଗଡ଼ି କର୍ତ୍ତୃପକ୍ଷ ।

ତେବେ ରାମ ରାମ ନବମୀର ଶୁଭ ମୂହୁର୍ତ୍ତ ସମ୍ପର୍କରେ ଜାଣନ୍ତୁ . . 

୨୧ ଏପ୍ରିଲ ୨୦୨୧ ରାତି ୦୦:୪୩ରୁ ନବମୀ ତିଥି ଆରମ୍ଭ

୨୨ ଏପ୍ରିଲ ୨୦୨୧ ରାତି ୦୦:୩୫ ରେ ନବମୀ ତିଥି ଶେଷ

ନବମୀ ପୂଜା ଶୁଭ ମୂହୁର୍ତ୍ତ ପୂର୍ବାହ୍ନ ୧୧.୦୨ରୁ ମଧ୍ୟାହ୍ନ ୧.୩୮ ମର୍ଯ୍ୟନ୍ତ

ମୋଟ ପୂଜା ସମୟ ଦୁଇ ଘଣ୍ଟା ୩୬ ମିନିଟ

 

You might also like