ଛାତ୍ରଙ୍କ ଉପରେ ମାଡ଼ିଗଲା ହାଇଓ୍ୱା

ପାରାଦୀପ: ପାରାଦୀପ-କଟକ ରାସ୍ତା ଫୁଲବେଲାରୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଟ୍ୟୁସନ୍‌ ଯାଉଥିବାବେଳେ ସ୍କୁଲ ଛାତ୍ରଙ୍କ ଉପରେ ହାଇୱା ଟ୍ରକ୍‌ ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ମୃତ ଛାତ୍ରଙ୍କ ନାଁ କାହ୍ନୁ ବୋଲି ଜଣାପଡ଼ିଛି।ମୃତାହତଙ୍କ ଘର ଫୁଲବେଲାରୀ ଗାଁରେ।

ସୂଚନା ଅନୁସାରେ, ଏହି ୩ ଛାତ୍ର ସାଇକେଲ୍‌ରେ ଟ୍ୟୁସନ୍‌ ଯାଉଥିବା ବେଳେ ଫୁଲବେଲାରୀ ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ୱା ଟ୍ରକ୍‌ ତିନି ଛାତ୍ରଙ୍କୁ ଧକ୍କା ଦେଇଥିଲା। ଫଳରେ ଚକ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ କାହ୍ନୁଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଚାଳକଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି। ଚାଳକ ଜଣକ ନିଶାଗ୍ରସ୍ତରେ ଏଭଳି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଦିନବେଳା ରାସ୍ତାରେ ଭାରି ଯାନ ଚଳାଚଳ ପାଇଁ କଟକଣା ଥିଲେ ବି ଏଥିରେ ବ୍ୟତିକ୍ରମ ହେଉଥିବାରୁ ଏଭଳି ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।

You might also like