କରୋନାରୁ ମୁକ୍ତି ପାଇଁ ଗୁରୁଜୀ କହିଲେ ୩ଟି ମନ୍ତ୍ର

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ଗୋଟିଏ ପଟେ କରୋନା ମାଡ଼ରେ ସାଧାରଣ ଲୋକ ଅଣ୍ଟା ସଳଖିବାକୁ ବସିଥିବା ବେଳେ କରୋନାର ନୂଆ ଷ୍ଟ୍ରେନ୍‌ ଆଉ ଏକ ଚିନ୍ତାର ବିଷୟ ପାଲଟିଛି। ଜୀବନଜୀବିକା ଦୁର୍ବିସହ ହୋଇପଡ଼ିଛି। ଆଉ ଏହାରି ଭିତରେ ପାଖାପାଖି ୧ ବର୍ଷ ପରେ ଓଡ଼ିଶାକୁ ଆସିଛନ୍ତି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ। କରୋନାକୁ ନେଇ ଜୀବନ ଜୀବିକାର ପ୍ରଭାବ ଓ ଭଗବତ୍ ଗୀତାକୁ ନେଇ କଣ କହୁଛନ୍ତି ଗୁରୁଜୀ ଆସନ୍ତୁ ଜାଣିବା
ସାକ୍ଷାତକାର:- ଅର୍ଚ୍ଚନା ଶତପଥୀ

କରୋନା ଯୋଗୁଁ ପାଖାପାଖି ୧ ବର୍ଷ ପରେ ଆପଣ ଓଡ଼ିଶା ଆସୁଛନ୍ତି। କରୋନା କାଳରେ ଆପଣଙ୍କ ଜୀବନ ଶୈଳୀ କିଭଳି ଥିଲା?

ଜୀବନ ଶୈଳୀ କିଛି ସମାନ ଥିଲା, ଆଉ କିଛି ଭିନ୍ନ ବି ଥିଲା। ସେତେବେଳେ କରୋନା ସରକାର ଓ ଲୋକଙ୍କ ପାଇଁ ଏକ ନୂତନ ଜିନିଷ ଆଣିଦେଇଥିଲା। ଜ୍ଞାନର ବିକାଶ ହେଲା ଓ ବ୍ୟବସ୍ଥିତ ଢଙ୍ଗରେ ନିଷ୍ପତ୍ତି ନିଆଗଲା। ରାଜ୍ୟ ସମେତ ସାରା ଦେଶର ଲୋକେ ଏହାକୁ କିଭଳି ସାମନା କରିବେ, ତାହାବି ଭଲ ଭାବେ ଶିଖିଗଲେ। କରୋନା ବିରୋଧରେ ଲଢେଇ କରିବା ପାଇଁ ସମାଜ ବି ତା’ ପନ୍ଥା ଆପଣେଇନେଲା। ଜରୁରୀକାଳୀନ ସ୍ଥିତିରେ ଆମେ କିଭଳି ସତର୍କ ରହିବା କରୋନା ଆମକୁ ଶିଖାଇଦେଲା। ଭୟ ଚାଲିଗଲା ସତ କିନ୍ତୁ ପୂର୍ବ ପନ୍ଥାକୁ ଆପଣେଇବା, ଏହା ଆମ ପାଇଁ ବିପଜ୍ଜନକ।

କରୋନା ଭୟ କେବଳ ଜୀବନକୁ ଡ଼ରାଇ ଦେଇନାହିଁ ବରଂ ଜୀବିକାକୁ ପ୍ରଭାବିତ କରିଛି। ଏଭଳି ସମୟରେ ସେମାନେ କିପରି ସଂଘର୍ଷ କରିବେ?

ଏହା କେବଳ ଆମ ସମସ୍ୟା ନୁହେଁ, ସାରା ବିଶ୍ୱର ସମସ୍ୟା।  ଯେତେବେଳେ ଏତେ ବଡ଼ ବିପଦ ଆସେ, ସେତେବେଳେ ଲୋକେ ଉଚିତ ପଦକ୍ଷେପ ନେଇପାରନ୍ତି ନାହିଁ। ୟୁରୋପରେ ଯୁଦ୍ଧ ପରେ ଯୁଦ୍ଧ ହୋଇ ଲକ୍ଷାଧିକ ଲୋକ ମରିଗଲେ, ତଥାପି ସେମାନେ ଅଣ୍ଟା ସଳଖି ଛିଡା ହୋଇଗଲେ। ଆମ ମନରେ ଧୈର୍ଯ୍ୟ ଓ ସକରାତ୍ମକ ଚିନ୍ତାଧାରା ରହିଲେ ଆମେ ଯେକୌଣସି ବିପଦକୁ ଏଡ଼ାଇପାରିବା। ମୋତେ ଲାଗୁଛି, ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି। ଲୋକଙ୍କ ଏକାଗ୍ରତା ରହିଲେ କିଛି ବର୍ଷ ମଧ୍ୟରେ ଆମେ ଛିଡ଼ା ହୋଇପାରିବା। ଯେହେତୁ ଆମ ପିଢି ବିଜ୍ଞାନ ସହ ଜଡିତ। ସେଥିପାଇଁ କୌଣସି ରୋଗ ଆସିଲେ ତାର ଉପଚାର ପାଇଁ ତୁରନ୍ତ ଚିକିତ୍ସାକୁ ଭଲ ପାଆନ୍ତି। କିନ୍ତୁ ଏ କରୋନା କ୍ଷେତ୍ରରେ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ନିହାତି ଆବଶ୍ୟକ।  ସମୟ ବଦଳିଛି ଜୀବନ ବଦଳିଛି କିନ୍ତୁ ଡ଼ରନ୍ତୁ ନାହିଁ। ଆମ ବିଜ୍ଞାନ ଓ ଆତ୍ମୀୟତା ଓ ଆଧ୍ୟାତ୍ମିକତା ଉପରେ ବିଶ୍ୱାସ ରଖି କର୍ମ କରନ୍ତୁ।

ଓଡ଼ିଆ ସଂସ୍କୃତିର ମୂଳ ଆଧାର ଭାଗବତ ଟୁଙ୍ଗୀ କାଳକ୍ରମେ ଳିଭିବାକୁ ବସିଲାଣି। ଏହାର କିପରି ପୁନଃରୁଦ୍ଧାର ହୋଇପାରିବ?

କରୋନା ଆମ ପାଇଁ ସବୁଠୁ ବଡ଼ ଗୁରୁ। କରୋନା କାଳରେ ଗୁରୁ ଭାଗବତର ପ୍ରଚାରପ୍ରସାର ବଢିଲା। ଅନ୍‌ଲାଇନ୍‌ରେ ଅନେକ ଅଧ୍ୟାୟ ବହୁମାତ୍ରାରେ ଲୋକ ଦେଖିଛନ୍ତି। ଲୋକ ଯେତେବେଳେ ଘରେ ବସିଲେ ସେମାନଙ୍କ ମନକୁ ୩ଟି ଚିନ୍ତା ଆସିଥିଲା। ନିଜ ଭବିଷ୍ୟତ କଥା ଚିନ୍ତା କଲେ, ପରିବାର ସହ ସମ୍ପର୍କ ଯୋଡିଲେ ଓ ସାଧାରଣ ଲୋକଙ୍କ ଆଧ୍ୟାତ୍ମିକ ଭାବନା ବୃଦ୍ଧି ପାଇଲା।

କରୋନା ହେଉ କିମ୍ବା ଅନ୍ୟ ରୋଗର ଉପଚାର ପାଇଁ ଲୋକେ ଅନ୍ଧବିଶ୍ୱାସ ଓ ଲୋକକଥାକୁ ଆପଣେଉଛନ୍ତି। ଏହାକୁ କିପରି ଅଟକାଯାଇପାରିବ?

ଯେତେବେଲେ ସମାଜକୁ ବିପତ୍ତି ଆସେ, ସେହି ସମସ୍ୟାର ସମାଧାନ ନଥାଏ, ସେତେବେଳେ ଲୋକମାନେ ବିଜ୍ଞାନ ଭାବି ଅନ୍ୟ ପନ୍ଥା ଖୋଜି ବୁଲନ୍ତି। କହିବାକୁ ଗଲେ ଏସବୁ ଠିକ୍ ନୁହେଁ। ଅନ୍ଧବିଶ୍ୱାସକୁ ଯାଅନି, ଭୁଲ ଗୁରୁକୁ ବାଛନି।

You might also like