ଭୁବନେଶ୍ୱର : ଉଦ୍ଯାପିତ ହୋଇଛି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ପରିସରରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଅାୟୋଜିତ ଏହି ଉତ୍ସବରେ ବିଶିଷ୍ଟ ମଞ୍ଚ ତଥା ଚଳଚିତ୍ର ଅଭିନେତା ଓ ନିର୍ଦେଶକ ସଚ୍ଚି ଦାସ ଓ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯାଇଛି।
ଏହା ସହିତ ଓଡିଶୀ ନୃତ୍ୟ ଶିଳ୍ପୀ ସୋନାଲି ମହାପାତ୍ର,ସୁବିକାଶ ମୁଖାର୍ଜି,କଥକ ନୃତ୍ୟ ଶିଳ୍ପୀ ସ୍ୱାତି ସିହ୍ନା ଓ ମର୍ଦଳ ବାଦକ ରୋହନ ସୁରେଶ ଡାହାଲେଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।
ରବିବାର ସଂଧ୍ୟାରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲିଉଡର ବିଶିଷ୍ଟ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସୃଜନ ନୃତ୍ୟ ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନେ ପରିବେଷଣ କରିଥିଲେ ନୃତ୍ୟ ନାଟିକା ‘ମାଟି’। ତେବେ ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ପ୍ରଚାର ପ୍ରସାର ସହ ଗୋଟଏ ମଞ୍ଚରେ ଦର୍ଶକମାନଙ୍କୁ ଭେଟିଦେବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛି ଅାୟୋଜକ ସୃଜନ।