ସାରା ଭାରତ ପରିଭ୍ରମଣ କରି ଗିନିଜ୍ ୱାର୍ଲଡ୍ ରେକର୍ଡ କଲେ ୬୫ ବର୍ଷୀୟ ଓଡ଼ିଆ ଦମ୍ପତି
ପୁରୀ: ଅଦମ୍ୟ ଇଚ୍ଛାଶକ୍ତି ଓ ଆପ୍ରାଣ ଚେଷ୍ଟା ଆଗରେ ବୟସ ହାର ମାନିଥାଏ। ଏହାର ନିଚ୍ଛକ ଉଦାହରଣ ହେଲେ ପୁରୀର ୬୫ ବର୍ଷୀୟ ଦୁର୍ଗାଚରଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସା ମିଶ୍ର। ଏହି ଦମ୍ପତି ଥରେ ନୁହେଁ ଦୁଇ ଦୁଇଥର ଗିନିଜ୍ ୱାର୍ଲଡ୍ ରେକର୍ଡର ଅଧିକାରୀ ହୋଇଛନ୍ତି।
୨୦୧୪ରେ କାର୍ରେ ସାରା ଭାରତବର୍ଷ ବୁଲି ଗିନିଜ୍ ରେକର୍ଡ କରିଥିବା ଏହି ଦମ୍ପତି ଏଥର ଟ୍ରେନ୍, ବସ୍ ଓ ପାଦରେ ଚାଲିଚାଲି ସାରା ଦେଶ ଭ୍ରମଣ କରି ଗିନିଜ୍ ୱାର୍ଲଡ୍ ରେକର୍ଡରେ ନିଜକୁ ସାମିଲ କରିଛନ୍ତି।
ଚଳିତ ବର୍ଷ ଫେବୃୟାରୀ ୧୮ରେ ଦୁର୍ଗାଚରଣ ଓ ତାଙ୍କ ପତ୍ନୀ ଜ୍ୟୋତ୍ସା ଗିନିଜ୍ ୱାର୍ଲଡ୍ ରେକର୍ଡର ଟାଗେର୍ଟ ନେଇ ସାରା ଭାରତବର୍ଷ ପରିଭ୍ରମଣ ଆରମ୍ଭ କରିଥିଲେ। ଦୀର୍ଘ ୪୨ଦିନ ଧରି ଓଡ଼ିଶାରୁ ଗୁଜୁରାଟ ଆଉ କାଶ୍ମୀରରୁ କନ୍ୟାକୁମାରୀ ଭ୍ରମଣ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ କରିଛନ୍ତି। ସେ ୨୯,୧୧୯ କିମି ଯାତ୍ରା କରି ଏହି ରେକର୍ଡ କରିଛନ୍ତି। ୨୦୧୭ରେ ରୋମାନିଆର ଏକ ଗିନିଜ୍ ୱାର୍ଲଡ୍ ରେକର୍ଡକୁ ବିଟ୍ କରିଛନ୍ତି ଏହି ଦମ୍ପତି। ଶେଷରେ ଜଣେ ଭାରତୀୟ ଏବଂ ଓଡ଼ିଆ ଭାବେ ସଫଳତା ପାଇଥିବାରୁ ବେଶ୍ ଖୁସି ଅନୁଭବ କରିଥିବା ସେମାନେ କହିଛନ୍ତି।
୨୦୧୪ ମସିହାରେ ସେମାନେ କାର୍ରେ ବୁଲି ଗିନିଜ୍ ରେକର୍ଡ କରିଥିଲେ। ସେହିପରି ୨୦୧୩ ମସିହାରେ ବାଇକ୍ରେ ଭାରତ ଭ୍ରମଣ କରି ଲିମ୍କା ରେକର୍ଡସ୍ରେ ସ୍ଥାନ ପାଇଥିଲେ। ତେବେ ଚଳିତ ଗିନିଜ୍ ୱାର୍ଲଡ୍ ରେକର୍ଡ ବେଶ୍ କଠିନ ଥିଲା। କାରଣ ଏହି ଯାତ୍ରାରେ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ସାଧାରଣ ଟ୍ରେନ୍ ଓ ବସ୍ରେ ୨୯ ହଜାର ୧୧୯ କିଲୋମିଟର ଯାତ୍ରା ବେଶ୍ କଠିନ ଥିଲା ବୋଲି ଏହି ଦମ୍ପତି କହିଛନ୍ତି।
(ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)